ଭାରତ ଛାଡ଼ିବାକୁ କଡ଼ା ଚେତାବନୀ ପରେ ଅଟ୍ଟାରୀ ଦେଇ ଫେରିଲେଣି ୫୩୭ ପାକିସ୍ତାନୀ

1 min read

ନନ୍ଦିଘୋଷ ବ୍ୟୁରୋ :  ଡଲାଇନ ସରିବା ପରେ ପାକିସ୍ତାନୀଙ୍କୁ କଡା ଚେତାବନୀ। କଡ଼ା ଚେତାବନୀ ଦେଇଛନ୍ତି କେନ୍ଦ୍ର ସରକାର। ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ପହଲଗାମ୍‌ ଆକ୍ରମଣ ପରେ ପାକିସ୍ତାନୀମାନଙ୍କୁ ଭାରତ ଛାଡ଼ି ଚାଲିଯିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିଲା । ଦେଶ ନଛାଡ଼ିଲେ ୩ ବର୍ଷ ଜେଲ ନଚେତ ୩ ଲକ୍ଷ ଜରିମାନା ଧାର୍ଯ୍ୟ କରାଯାଇଛି। କିମ୍ବା ଏକକାଳୀନ ୩ ବର୍ଷ ଜେଲ ସହ ୩ ଲକ୍ଷ ଜରିମାନା ଧାର୍ଯ୍ୟ କରିଛନ୍ତି ସରକାର। ସେହି ଅନୁଯାୟୀ ୨୪ରୁ ଅଦ୍ୟାବଧି ଅଟ୍ଟାରୀ-ଓ୍ବାଘା ସୀମା ଦେଇ ୫୩୭ ପାକିସ୍ତାନୀ ନାଗରିକ ଭାରତ ଛାଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ୯ ଜଣ କୂଟନୀତିଜ୍ଞ ରହିଛନ୍ତି। ମା’ଙ୍କୁ ଛାଡ଼ି ପିଲାଙ୍କୁ ପାକିସ୍ତାନ ଫେରିଯିବାକୁ ହେଉଥିବାରୁ ସୀମାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

ଆକ୍ରମଣକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଦେଖାଦେଇଥିବାବେଳେ ଭାରତରେ ରହିଥିବା ପାକିସ୍ତାନୀଙ୍କ ଭିଜା ରଦ୍ଦ କରାଯାଇଥିଲା। ସାର୍କ ଭିଜାଧାରୀଙ୍କ ପାଇଁ ସମୟସୀମା ଏପ୍ରିଲ ୨୬ ରଖାଯାଇଥିଲାବେଳେ ମେଡିକାଲ ଭିଜାଧାରୀଙ୍କ ପାଇଁ ଏହା ଏପ୍ରିଲ ୨୯ ରହିଛି। ୧୨ ପ୍ରକାରର ସ୍ବଳ୍ପମିଆଦୀ ଭିଜାଧାରୀଙ୍କୁ ରବିବାର ସୁଦ୍ଧା ଦେଶ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଏହା ପରେ ଯେଉଁମାନେ ରହିବେ, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଯେଉଁମାନେ ଦୀର୍ଘମିଆଦୀ ବା କୂଟନୈତିକ ଭିଜା ପାଇଛନ୍ତି, ସେମାନଙ୍କୁ ‘ଭାରତ ଛାଡ଼’ ନିର୍ଦ୍ଦେଶନାମାରୁ ବାଦ୍‌ ଦିଆଯାଇଛି। ତଦନୁଯାୟୀ ଅଟ୍ଟାରୀ-ଓ୍ବାଘା ସୀମା ଦେଇ ୨୫ ତାରିଖରେ ୧୯୧ ଜଣ ଏବଂ ୨୬ରେ ୮୧ ଜଣ ପାକିସ୍ତାନୀ ଭାରତ ଛାଡ଼ିଛନ୍ତି।

ସେହିପରି ବର୍ତ୍ତମାନ ସୁଦ୍ଧା ପାକିସ୍ତାନରୁ ୧୪ ଜଣ କୂଟନୀତିଜ୍ଞ ଓ ଅଫିସରଙ୍କ ସମେତ ୮୫୦ ଜଣ ଭାରତୀୟ ଅନ୍ତର୍ଜାତୀୟ ସୀମା ଦେଇ ପାକିସ୍ତାନରୁ ପଳାଇଆସିଲେଣି ।ପଞ୍ଜାବ ସୀମା ଦେଇ ୧୧ ବର୍ଷୀୟ ଜୈନାବ ଏବଂ ୮ ବର୍ଷୀୟା ଜେନିଶଙ୍କୁ ପାକିସ୍ତାନ ପଠାଇ ଦିଆଯାଇଛି।  ସେମାନେ ଦିଲ୍ଲୀରେ ସେମାନଙ୍କ ମାଆଙ୍କୁ ଛାଡ଼ି ଯାଉଥିବାରୁ ଦୁଃଖରେ ଭାଙ୍ଗିପଡ଼ିଥିବା ଦେଖାଯାଇଥିଲା। ମା’ଙ୍କୁ ଛାଡ଼ି ଯିବା ବହୁତ କଷ୍ଟ ବୋଲି ଜୈନାବ ଗଣମାଧ୍ୟମକୁ କାନ୍ଦିକାନ୍ଦି କହୁଥିବା ଦେଖାଯାଇଛି। ସେହିପରି ପାକିସ୍ତାନୀ ନାଗରିକ ସରିତା କନଓ୍ବେରଙ୍କୁ ତାଙ୍କ ଭାରତୀୟ ନାଗରିକ ମା’ ପ୍ରିୟା କନଓ୍ବେରଙ୍କୁ ଛାଡ଼ିବାକୁ ପଡ଼ିଛି।