ଭିନ୍ନ ଭିନ୍ନ ଦୁର୍ଘଟଣାରେ ୫ ମୃତ, ଦୁଇ ଗୁରୁତର

1 min read

ବଣାଇ/ଢେଙ୍କାନାଳ: ବଣାଇ ଓ ଢେଙ୍କାନାଳରେ ଭିନ୍ନ ଭିନ୍ନ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଛି । ବଣାଇ ରାଜାମୁଣ୍ଡା ବାଇପାସ ନିକଟରେ ରାସ୍ତାରେ କାର୍ଯ୍ୟରତ ଶ୍ରମିକଙ୍କ ଉପରେ ଭାରସାମ୍ୟ ହରାଇ ଚଢିଗଲା ହାଇୱା । ଦୁର୍ଘଟଣାରେ ତିନି ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ରାଜାମୁଣ୍ଡା-ପାଣିକୋଇଲି ୫୨୦ ନମ୍ବର ଜାତୀୟ ରାଜପଥର ରାଜାମୁଣ୍ଡା ବାଇପାସ ଛକରେ ଆରକେଡି ଠିକା ସଂସ୍ଥା ଦ୍ବାରା କାମ ଚାଲୁଛି । ବାଇପାସର ଏକ ନିର୍ମାଣଧୀନ ବ୍ରିଜରେ ଶ୍ରମିକମାନେ କାମ କରୁଥିବା ବେଳେ ହାଇଓ୍ବା ସେମାନଙ୍କ ଉପରେ ଚଢିଯାଇଥିଲା । ଘଟଣାସ୍ଥଳରେ ଦୁଇ ଜଣ ଓ ମେଡିକାଲ ନେବା ପାଟରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ଗୁରୁତର ଆହତ ଦୁଇ ଶ୍ରମିକଙ୍କ ଚିକିତ୍ସା ଚାଲିଛି । ମୃତାହତଙ୍କ ପରିଚୟ ମିଳପାରି ନଥିବା ବେଳେ ଲହୁଣିପଡ଼ା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି l

ସେହିପରି ୫୫ ନମ୍ବର ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା । ଢେଙ୍କାନାଳ ଜିଲ୍ଲା ମୋଟାଙ୍ଗା ଥାନା ଅନ୍ତର୍ଗତ ମେରାମୁଣ୍ଡଳୀ ଛକରେ ବାଇକକୁ ଧକ୍କା ଦେଲା ଟ୍ରକ । ଆହତ ଦୁଇ ବାଇକ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ମୃତକମାନେ ହେଲେ ଚନ୍ଦ୍ରଶେଖର ପ୍ରସାଦ ଗାଁର ପିନୁ ଧଳ ଏବଂ ସାଲେପୁର ଅଞ୍ଚଳର ସୁବ୍ରତ ମହାପାତ୍ର । ମୃତ ଦୁଇ ଜଣ ଏଚଡିଏଫସି ବ୍ୟାଙ୍କର ଗ୍ରୁପ ଲୋନ କଲେକ୍ସନ କରି ଫେରୁଥିବା ବେଳେ ସେମାନେ ଦୁର୍ଘଟଣା ଗସ୍ତ ହୋଇଥିଲେ । ସେପଟେ ଟ୍ରକକୁ ପୋଲିସ ଜବତ କରି ତଦନ୍ତ ଚଳାଇଛି ।