ରାଜ୍ଯ କ୍ଯାବିନେଟରେ ୬ ପ୍ରସ୍ତାବକୁ ଅନୁମୋଦନ

1 min read

ଭୁବନେଶ୍ବର : ରାଜ୍ଯ କ୍ଯାବିନେଟରେ ୬ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ସମୃଦ୍ଧ କୃଷକ ଯୋଜନାକୁ ମଞ୍ଜୁରୀ ମିଳିଥିବାବେଳେ ଧାନ ଓ ଚାଉଳ ସଂଗ୍ରହ ପରିଚାଳନା ସମ୍ପର୍କିତ ସମସ୍ତ ପ୍ରକ୍ରିୟାକୁ ସୁପରିଚାଳନା ନିମନ୍ତେ ଖାଦ୍ଯ ଓ ଧାନ ସଂଗ୍ରହଣ ନୀତି ୨୦୨୪-୨୫କୁ କ୍ଯାବିନେଟ ମଞ୍ଜୁରୀ ମିଳିଛି । ସେହିପରି ଓଡ଼ିଶା ନୂତନ ବାୟୁ ସଂଯୋଗ ନୀତିକୁ ଅନୁମୋଦନ ଦିଆଯାଇଛି । ଏହି ନୀତି ଅନୁସାରେ ରାଜ୍ଯରେ ବାୟୁ ସଂଯୋଗୀକରଣକୁ ଉନ୍ନତ କରିବାକୁ ଲକ୍ଷ୍ଯ ରଖାଯାଇଛି । ବିମାନ ସଂସ୍ଥା ଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇଦେଇ ନୂତନ ଘରୋଇ ଓ ଅନ୍ତର୍ଜାତୀୟ ବାୟୁ ମାର୍ଗ ଆରମ୍ଭ କରିବାକୁ ପ୍ରୋତ୍ସାହିତ କରାଯିବ । ଘରୋଇ ମାର୍ଗ ପାଇଁ ପ୍ରତି ଟ୍ରିପରେ ୫ ଲକ୍ଷ ଓ ଆନ୍ତର୍ଜାତିକ ମାର୍ଗ ପାଇଁ ୧୦ ଲକ୍ଷ ସହ ୭୫୦ କିଲୋମିଟର ମାର୍ଗ ବୃଦ୍ଧି ପାଇଁ ଲକ୍ଷ୍ଯ ରଖାଯାଇଛି । ଏହାଦ୍ବାରା ରାଜ୍ଯର ଆର୍ଥିକ ବୃଦ୍ଧି ସହ ପର୍ଯ୍ଯଟନ କ୍ଷେତ୍ରର ବିକାଶ ହେବ ବୋଲି ଆଶା କରାଯାଉଛି । ସେହିପରି ଦ୍ରବ୍ଯ ଓ ସେବା କର ପରିଷଦର ସୁପାରିସ କ୍ରମେ କରଦାତାମାନଙ୍କର ଅଧିକ ସୁବିଧା ଲାଗି ଓଡ଼ିଶା ଦ୍ରବ୍ଯ ଓ ସେବା କର ଅଧିନିୟମ ୨୦୧୭କୁ ସଂଶୋଧନ କରିବା ପ୍ରସ୍ତାବ ପାରିତ ହୋଇଛି । ସେହିପରି ସୁଭଦ୍ରା ଅନ୍ତର୍ଗତ ନିର୍ଦ୍ଦେଶାବଳୀରେ ପରିବର୍ତ୍ତନକୁ ଅନୁମୋଦନ ମିଳିଛି । ଏହାଛଡ଼ା ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ ଅଧ୍ଯକ୍ଷ ପଦବୀରେ ନିଯୁକ୍ତି ଦେବା ସମ୍ପର୍କରେ ପ୍ରସ୍ତାବ ପାରିତ ହୋଇଛି ।