ଡିପଥେରିଆରେ ୫ ଶିଶୁ ମୃତ, ଏବେ ବି ୫ ଜଣ ଚିକିତ୍ସାଧୀନ

ରାୟଗଡ଼ା: କାଶୀପୁର ବ୍ଲକ ମୁନୁଷପଦରେରେ ଡିପଥେରିଆ ଆତଙ୍କ । ୫ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଚିକିତ୍ସାଧୀନ ଅଛନ୍ତି । ଡାକ୍ତରୀ ଟିମ୍ ପରିସ୍ଥିତି ଉପରେ ସର୍ତକ ନଜର ରଖିଛନ୍ତି ।

ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି ପୂର୍ବରୁ ସମସ୍ତ ଆକ୍ରାନ୍ତଙ୍କ ନମୂନା ଅଧିକ ଯାଞ୍ଚ ପାଇଁ ଭୁବନେଶ୍ବର ପଠାଯାଇଥିଲା । ରିପୋର୍ଟ ଆସିବା ପରେ ସମସ୍ତ ୫ ମୃତକ ଡିପଥେରିଆରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି । ବର୍ତ୍ତମାନ ଅନ୍ୟ ୫ଣ ଆକ୍ରାନ୍ତ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ୩ ଦିନ ତଳେ ଭୁବନେଶ୍ବରରୁ ଏକ ଡାକ୍ତରୀ ଟିମ ଓ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟରୁ ଟିମ ଗାଁକୁ ଆସି ଆକ୍ରାନ୍ତ ପିଲାଙ୍କ ସମେତ ଅନ୍ୟ ପିଲାମାନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ ।

ଆକ୍ରାନ୍ତଙ୍କ ଗଳାରୁ ନମୁନା ଓ ପାନୀୟଜଳର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା । ରୋଗର ଭୟାବହତାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ଓ ପ୍ରଶାସନ ପକ୍ଷରୁ ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରହିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମାନୁଷପଦର ଶିଶୁମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ, ଘଟଣା ସଂପର୍କରେ ସର୍ତକ ନଜର ରଖିବା, ପରିମଳ ଓ ବିଶୁଦ୍ଧ ପାନୀୟଜଳ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।