ଜୁଲାଇ ୧୬ ପରେ ପ୍ରଥମ ଥର ୫ଶହ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ, ଦିନକରେ ୪୧୮ ପଜିଟିଭ, ୫ମୃତ

2 min read

ଭୁବନେଶ୍ୱର: ରାଜ୍ୟରେ ୫ଶହ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ୨୮ ଜିଲ୍ଲା ଓ ଷ୍ଟେଟ୍‌ପୁଲ୍‌ରୁ ୪୧୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୪୧ ଓ ଲୋକାଲ କେସ୍ ରହିଛି ୧୭୭ । ସୁନ୍ଦରଗଡ଼ରୁ ୪୧, ଅନୁଗୁଳରୁ ୩୪, ମୟୂରଭଞ୍ଜରୁ ୩୨, କଟକରୁ ୨୫, ଖୋର୍ଦ୍ଧା ଓ ନୂଆପଡାରୁ ୨୩ଜଣ ଲେଖାଏଁ, ଯାଜପୁରରୁ ୨୦, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ କେନ୍ଦୁଝରରୁ ୧୯ ଜଣ ଲେଖାଏଁ, ରାୟଗଡ଼ା ଓ ସମ୍ବଲପୁରରୁ ୧୭ଜଣ ଲେଖାଏଁ, ଜଗତସିଂହପୁରରୁ ୧୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି କରୋନାରେ ଆଉ ୫ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୭ ଶହ ୪୨ରେ ପହଞ୍ଚିଛି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୧୮ହଜାର ୭୨୫ରେ ପହଞ୍ଚିଥିବା ବେଳେ ସୁସ୍ଥ ହେଲେଣି ୩ଲକ୍ଷ ୧୧ହଜାର ୨୫୬ । ଆକ୍ଟିଭ କେସ୍ ରହିଛି ୫ହଜାର ୬୭୭ ।

ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ସଂକ୍ରମଣ ସଂଖ୍ୟା ୫ଶହ ତଳକୁ କମିଥିବାରୁ ଟ୍ୱିଟ୍ ଯୋଗେ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୬ ଜୁଲାଇ ଅର୍ଥାତ୍ ୪ମାସ ପରେ ରାଜ୍ୟରେ ୫ଶହ ତଳକୁ ଖସିଛି ସଂକ୍ରମିତଙ୍କ ସଂଖ୍ୟା । ୧୬ଜୁଲାଇ ପରଠାରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲା । ଗତ ୨୪ଘଣ୍ଟାରେ ୫ଶହ ତଳେ ରହିଛି ଦୈନିକ ସଂକ୍ରମଣ ସଂଖ୍ୟା ।

ଏଥିପାଇଁ କୋଭିଡ୍‌ ଯୋଦ୍ଧାମାନଙ୍କ ତ୍ୟାଗ ଓ କଠିନ ପରିଶ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି । କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ଓଡ଼ିଶା ଏହି ମହାମାରୀ ବିରୋଧରେ ଜିତୁଛି । ତେବେ ମାସ୍କ ପିନ୍ଧିବାକୁ ଭୁଲନ୍ତୁନି, ଭ୍ୟାକସିନ ଆସିବା ଯାଏଁ ସଚେତନ ରୁହନ୍ତୁ ବୋଲି ଟ୍ୱିଟ୍‌ରେ ଲୋକଙ୍କୁ ସଚେତନ କରାଇଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply