ଗୁଣି ଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ମାମଲା: ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଯାଜପୁର: କଳିଙ୍ଗନଗର ଥାନା ନିମପଲ୍ଲୀ ସୁରୀସାହିରେ ଗୁଣିଗାରେଡି ସନ୍ଦେହରେ ୨ ଜଣଙ୍କୁ ହତ୍ୟା ମାମଲା । ଜଣେ ମହିଳା ସମେତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କଳିଙ୍ଗନଗର ପୋଲିସ । ଏହି ୪ ଜଣ ଅଭିଯୁକ୍ତ ସେହି ଗାଁର । ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି ପୋଲିସ ।
ଘଟଣା ଅନୁଯାୟୀ, ସୋମବାର ଅର୍ଥାତ୍ ଜୁଲାଇ ୨୦ ତାରିଖ ସକାଳେ ନିମପଲ୍ଲୀ ସୁରୀସାହିରେ ଘର ପୋଡିଯାଉଥିବା ଦେଖି ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ହେଲେ ଅଗ୍ନିଶମ ବିଭାଗ କର୍ମଚାରୀ ସେଠାରେ ପହଞ୍ଚିବା ବେଳକୁ ଘରଟି ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ସେଥିରେ ୨ ଜଣଙ୍କ ଦଗ୍ଧ ମୃତଦେହକୁ ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।
ତେବେ ତଦନ୍ତ ସମୟରେ ଗୁଣିଗାରେଡ଼ି ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା ପୋଲିସ । ତେବେ ଏହି ଘଟଣା ଘଟିବା ପରେ ସମ୍ପୂର୍ଣ୍ଣ ସୁରୀସାହି ଗାଁ ଜନଶୂନ୍ୟ ହୋଇଯାଇଥିଲା। ଫଳରେ ଯାଜପୁର ଏସ.ପି ଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା ।
ତେବେ ଆଜି ହତ୍ୟାକାଣ୍ଡରେ ସଂପୃକ୍ତ ସେହି ଗାଁର ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି କଳିଙ୍ଗନଗର ପୋଲିସ। ଏଥିସହିତ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଜାରି ରଖିଛି। ସେପଟେ ଗୁଣିଗାରେଡି ସନ୍ଦେହରେ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ସ୍ପଷ୍ଟ କରିଛି । ଗତକାଲି ଭୋର ସମୟରେ ମୃତ ଦମ୍ପତ୍ତିଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରି ପିଟିପିଟି ଦରମରା କରିବା ପରେ ଘର ଭିତରେ ପୂରାଇ ନିଆଁ ଲଗାଇ ଦେଇଥିବା ପୋଲିସ କହିଛି।