୫୦ରୁ ହ୍ରାସ ପାଇ ୧୫ ପ୍ରତିଶତକୁ ଖସିବ ଟାରିଫ ! ଭାରତକୁ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି ଟ୍ରମ୍ପ…..

ଗତ କିଛିଦିନ ଧରି ଭାରତ-ଆମେରିକା ମଧ୍ୟରେ ଟାରିଫକୁ ନେଇ ବିବାଦ ସୃଷ୍ଟି ହୋଇଛି । ତେବେ ଏହି ବିବାଦର ଏବେ ଅବସାନ ଘଟିବାକୁ ଯାଉଛି । ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ଥିବା ଟାରିଫ ବିବାଦ ଖୁବଶୀଘ୍ର ସମାପ୍ତ ହେବାକୁ ଯାଉଛି । ଏଥିସହିତ ଦୁଇ ଦେଶ ମଧ୍ୟରେ ଡିଲ ମଧ୍ୟ ପୂରା ହୋଇଯିବ । ଏକ ରିପୋର୍ଟ ମୁତାବକ, ଭାରତ ଓ ସଂଯୁକ୍ତ ରାଜ୍ୟ ଆମେରିକା ଏକ ଦୀର୍ଘ ଅବଧିର ବାଣିଜ୍ୟ ବୁଝାମଣାକୁ ଅନ୍ତିମ ରୂପ ଦେବାକୁ ଯାଉଛନ୍ତି । ଏହାଦ୍ବାରା ଭାରତ ଉପରେ ଆମେରିକା ଦ୍ବାରା ଲାଗୁ ହୋଇଥିବା ୫୦ ପ୍ରତିଶତ ଟାରିଫକୁ ବହୁତ କମ୍ କରି ଦିଆଯିବ ।

ତେବେ ଏହି ଟାରିଫ୍ ୫୦ ପ୍ରତିଶତରୁ ହ୍ରାସ ପାଇ ୧୫-୧୬ ପ୍ରତିଶତ ପର୍ଯ୍ୟନ୍ତ ଆସିପାରେ । ଏଥିସହିତ ଏଗ୍ରିକଲଚର ଓ ଏନର୍ଜୀ ଉପରେ ଫୋକସ ରଖି ଟ୍ରେଡ ଡିଲ ହୋଇପାରେ । ରିପୋର୍ଟ ମୁତାବକ, ଏହି ବାଣିଜ୍ୟ ଚର୍ଚ୍ଚାରେ ଏକ ପ୍ରମୁଖ ବିଷୟ ଭାରତ ଦ୍ବାରା ଋଷରୁ ଅଶୋଧିତ ତୈଳ ଆଦାନୀ ମଧ୍ୟ ସାମିଲ ହେବ । ଭାରତ ଋଷରୁ କମ୍ ତୈଳ କ୍ରୟ କରିପାରେ । ଦୁଇ ଦେଶ ମଧ୍ୟରେ ବାଣିଜ୍ୟକୁ ନେଇ ଡିଲ ଅନ୍ତି ପର୍ଯ୍ୟାୟରେ ପହଞ୍ଚି ସାରିଛି ଓ ଚଳିତ ମାସ ଶେଷ ଆଡ଼କୁ ହେବାକୁ ଥିବା ଏସିଆନ ଶିଖ ସମ୍ମିଳନୀ ପୂର୍ବରୁ ଏହି ବୁଝାମଣାକୁ ଅନ୍ତିମ ରୂପ ଦିଆଯାଇପାରେ । ତା’ପରେ ଐପଚାରିକ ଘୋଷଣା କରାଯାଇପାରେ । ମାତ୍ର ଏହାକୁ ନେଇ ଭାରତ ଓ ଆମେରିକା ପକ୍ଷରୁ କୌଣସି ବୟାନ ସାମ୍ନାକୁ ଆସିନାହିଁ ।

ନିକଟରେ ଟ୍ରମ୍ପ କହିଥିଲେ, ଋଷରୁ ତେଲ କ୍ରୟ କମ କରିବା ନେଇ ଭାରତ ସହମତି ପ୍ରକାଶ କରିଛି । ମାତ୍ର ଋଷ ତୈଳକୁ ନେଇ କୌଣସି ଆଲୋଚନା ହୋଇନଥିବା ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଥିଲା । ତେବେ ଯଦି ଭାରତ ଓ ଆମେରିକା ମଧ୍ୟରେ ଏହି ବୁଝାମଣା ସଫର ରୂପ ନିଏ, ତେବେ ତାହା ଦ୍ବାରା କ’ଣ ଫାଇଦା ମିଳିବ ? ଭାରତ ରପ୍ତାନୀ କରୁଥିବା କପଡ଼ା, ଇଞ୍ଜିନିୟରିଂ ଜିନିଷପତ୍ର ଓ ମେଡିସିନ ଆଦି ଆମେରିକାରେ ଏକ ପ୍ରମୁଖ    ବଜାର ସୃଷ୍ଟି କରିପାର । ଚଳିତ ସପ୍ତାହରେ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରି କଥା ହୋଇଥିଲେ । ବ୍ୟାପାର ଓ ଉର୍ଜା ସହଯୋଗ ଉପରେ ଆଲୋଚନା ହୋଇଥିବା ଟ୍ରମ୍ପ ସାମ୍ବାଦିକଙ୍କୁ କହିଥିଲେ । ଭାରତ ଋଷରୁ ତୈଳ କିଣିବା ସୀମିତ କରିବ ବୋଲି ମୋଦି ଆଶ୍ବାସନା ଦେଇଥିବା ଟ୍ରମ୍ପ କହିଥିଲେ । ଦୀପାବଳୀ ପାଇଁ ଶୁଭେଚ୍ଛା ଜଣାଇଥିବା ଟ୍ରମ୍ପଙ୍କୁ ମୋଦି ଏକ୍ସରେ ଧନ୍ୟବାଦ ଅର୍ପଣ କରିଥିଲେ । ତେବେ ବାଣିଜ୍ୟ ଚର୍ଚ୍ଚାକୁ ନେଇ ମୋଦି କୌଣସି ସୂଚନା ଶେୟାର କରିନଥିଲେ । ତେବେ ଏହି ଦୁଇ ନେତା ସମ୍ଭାବ୍ୟ ବୁଝାମଣା ପୂବର୍ରୁ ସମ୍ପର୍କକୁ ମଜବୁତ କରିବା ନେଇ କାମ କରୁଥିବା ସଙ୍କେତ ମିଳିଥିଲା ।