ମହାମାୟାଙ୍କ ଆବାହନ ପାଇଁ ପ୍ରସ୍ତୁତ ବ୍ରହ୍ମପୁର

1 min read

ମହାମାୟାଙ୍କ ଆବାହନ ପାଇଁ ପ୍ରସ୍ତୁତ ବ୍ରହ୍ମପୁର । ଚଳିତବର୍ଷ ସହରର କୋର୍ଟପେଟା, କମାପଲ୍ଲୀ, ବିଜିପୁର, ଗୋଷାଣୀନୂଆଗାଁ, ନୂଆ ବସଷ୍ଟାଣ୍ଡ, ସେଲଟ୍ୟାକ୍ସ ଛକ ଭଳି ୪୦ରୁ ଅଧିକ ପୂଜା ମଣ୍ଡପରେ ପୂଜା ପାଇବେ ଦେବୀ ଦୁର୍ଗା । ନବରାତ୍ରୀଠାରୁ ମାଆଙ୍କୁ କରାଯିବ ଆବାହନ । ଆଉ ଅଳ୍ପଦିନ ଥିବାରୁ ମୂର୍ତ୍ତି ନିର୍ମାଣ ଓ ମଣ୍ଡପ ସଜ୍ଜା କାମରେ ଲାଗିଛନ୍ତି କାରିଗର । ପୂଜାକୁ ଶୃଙ୍ଖଳିତ ଭାବେ କରିବାକୁ ଜିଲ୍ଲା ପ୍ରଶାସନ ସମସ୍ତ ପୂଜା କମିଟି ଓ ପୋଲିସ ସହ ଆଲୋଚନା କରିଛି । ଦୀର୍ଘ ବର୍ଷ ହେଲା ଭସାଣ ବେଳେ ମେଳଣ ବନ୍ଦ ଥିବାରୁ ଏହାକୁ ଚଳିତବର୍ଷ ପୁଣି ଆରମ୍ଭ କରିବାକୁ ନିବେଦନ କରିଛନ୍ତି ମଣ୍ଡପ କର୍ମକର୍ତ୍ତା । ତେବେ ସହରରେ ସ୍ଥାନ ଅଭାବ ଓ ଆଇନଶୃଙ୍ଖଳାକୁ ଦେଖି ଏହା ସମ୍ଭବ ନଥିବା କହିଛନ୍ତି ଉପଜିଲ୍ଲାପାଳ ।

ପୂଜା ପୂର୍ବରୁ ଉପ-ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ପ୍ରସ୍ତୁତି ବୈଠକ। ଏଥିରେ ବିଭିନ୍ନ ଥାନାର ଥାନା ଅଧିକାରୀ, ପୂଜା କମିଟି କର୍ମକର୍ତ୍ତା, ବିଭିନ୍ନ ବିଭାଗର ବିଭାଗୀୟ ସାମିଲ ହୋଇଥିଲେ । ଚଳିତବର୍ଷ ପୂଜାକୁ କିପରି ଶାନ୍ତି ଓ ଶୃଙ୍ଖଳାର ସହ କରାଯିବ ସେନେଇ ହୋଇଛି ବିସ୍ତୃତ ଆଲୋଚନା । ଅନୁମତି ପାଇଁ ସିଙ୍ଗୱିଣ୍ଡୋ ବ୍ଯବସ୍ଥା, ଟ୍ରାଫିକ ନିୟନ୍ତ୍ରଣ ନେଇ ଆଲୋଚନା କରାଯାଇଛି । ପୂଜା ପେଣ୍ଡାଲରେ ପୋଲିସ ସହ ନିୟୋଜିତ ହେବେ ସ୍ବେଚ୍ଛାସେବୀ । ସୁରକ୍ଷା ପାଇଁ ବାଲି ବସ୍ତା, ପାଣି ଡ୍ରମ ଓ ଅଗ୍ନି ନିର୍ବାପକ ଯନ୍ତ୍ର ରହିବ । ବିଦ୍ୟୁତ ତାର ଠାରୁ ୬ ଫୁଟ ଦୁରରେ ହେବ ମଣ୍ଡପ । ଜବରଦସ୍ତ ଚାନ୍ଦା ଆଦାୟ, ବିସର୍ଜନ ବେଳେ ଡିଜେ, ପ୍ଲାଷ୍ଟିକ୍ ଓ ପଲିଥିନ ବ୍ୟବହାର ନିଷିଦ୍ଧ କରାଯାଇଛି । ଏହାସହ ମେଢର ଉଚ୍ଚତା ୨୦ ଫୁଟ ରହିବ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଶ୍ଳୀତାକୁ ବାରଣ କରାଯାଇଛି ।