ଅପହରଣ ପରେ ବୀଭତ୍ସ ହତ୍ୟା: ଚନ୍ଦକାରୁ ମିଳିଲା ଡ୍ରାଇଭରଙ୍କ ମୃତଦେହ

1 min read

ଅପହରଣ ପରେ ବୀଭତ୍ସ ହତ୍ୟା । ଚନ୍ଦକାରୁ ମିଳିଲା ଡ୍ରାଇଭରଙ୍କ ମୃତଦେହ । ୨ କୋଟି ଟଙ୍କା ନଦେବାରୁ ମାରି ଫିଙ୍ଗିଦେଲେ ଦୁର୍ବୃତ୍ତ । ଚନ୍ଦକା-ବାରଙ୍ଗ ରାସ୍ତା କଡ଼ରୁ ମୃତଦେହ ଉଦ୍ଧାର । ରାଜଧାନୀରେ ପୁଣି ବିଭତ୍ସ ହତ୍ୟା । ପ୍ରଥମେ ଅପହରଣ ପରେ ହତ୍ୟା କରି ଫିଙ୍ଗି ଦେଲେ ଦୁର୍ବୃତ୍ତ । ଚନ୍ଦକା-ବାରଙ୍ଗ ରାସ୍ତା କଡ଼ରୁ ମୃତଦେହ ଉଦ୍ଧାର ପରେ କିଏ କାହିଁକି ଘଟାଇଲା ଏଭଳି କାଣ୍ଡ ତାକୁ ନେଇ ଚାଲିଛି ତନାଘନା । ମୃତକ ହେଉଛନ୍ତି ଟ୍ୟାକ୍ସି ଡ୍ରାଇଭର୍ ବିଦ୍ୟାଧର ସାହୁ । ନିଟକସ୍ଥ ଜଙ୍ଗଲରେ ମୃତଦେହ ପଡ଼ିଥିବାବେଳେ ରାସ୍ତାକଡ଼ରେ ତାଙ୍କର ଗାଡ଼ି ଠିଆ ହୋଇଥିଲା । ଦେହ ସାରା କ୍ଷତଚିହ୍ନ ଥିବାବେଳେ ବେକରେ ଗୁଡା ହୋଇଛି ଧଳା ଗାମୁଛା  । ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି ପୋଲିସ  । ସେପଟେ ପରିବାର ଲୋକ ଆଣିଛନ୍ତି ସାଂଘାତିକ ଅଭିଯୋଗ  । ମୁଣ୍ଡ ଜାମିନ ରଖି ୨ କୋଟି ଟଙ୍କା ଦେବାକୁ ଫୋନ କରିଥିଲେ ଦୁର୍ବୃତ୍ତ । ହେଲେ ଥାନାରେ ଏତଲା ଦେବା ପରେ ତାଙ୍କୁ ହତ୍ୟା କରାଯାଇଛି ।

ଗତ ୧୫ ତାରିଖରୁ ନିଖୋଜ ଥିଲେ ବିଦ୍ୟାଧର । ଘର ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ । ୪ ମାସ ହେଲା ସେ ବିବାହ କରିଥିଲେ । ପରିବାର ସହ ଭୁବନେଶ୍ଵର ରହି ଗାଡ଼ି ଚଳାଉଥିଲେ । ଗତ ୧୫ ତାରିଖ ଦିନ ଯାଜପୁର ଭଡ଼ାରେ ଯାଇ ଆଉ ତାଙ୍କର ଖୋଜ ଖବର ମିଳି ନଥିଲା । ଶୁକ୍ରବାର ଦିନ ମଙ୍ଗୁଳି ଟୋଲ ଗେଟ ପାର ହୋଇଥିବା ଟୋଲ ଗେଟ ଫି ମେସେଜ୍ ସହ ଆସିଥିଲା ଦୁର୍ବୃତ୍ତଙ୍କ କଲ  । ବଡଗଡ ଥାନାରେ ଏନେଇ ଏତଲା ଦେଇଥିଲେ ପରିବାର ଲୋକେ । ସେପଟେ ମୃତଦେହ ଉଦ୍ଧାର ପରେ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ କରିଛନ୍ତି ଚନ୍ଦକା ଥାନା, ବଡଗଡ ଥାନା ଅଧିକାରୀ । କାର ଭିତରେ ଥିବା ବ୍ଯାଗ ଭିତରୁ କିଛି କାଗଜପତ୍ର ମିଳିଛି  । ଜଣେ ମହିଳାଙ୍କ ଗାଡ଼ିକୁ ମାସିକ ସୂତ୍ରରେ ଭଡ଼ାଆଣି ନିଜେ ଚଳାଉଥିଲେ ବିଦ୍ୟାଧର ।