ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ଵରୀଙ୍କ ପୀଠରେ ଧୂମଧାମରେ ପାଳିତ ହେଉଛି ପବିତ୍ର ଖଣ୍ଡାବସା ଯାତ୍ରା

1 min read

କଳାହାଣ୍ଡି ଜିଲ୍ଲାରେ ରହିଛି ଅଷ୍ଟ ମାତୃକା ଶକ୍ତି ପୀଠ। ଏହି ଶକ୍ତି ପୀଠ ମଧ୍ୟରେ ରହିଛି ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଲଙ୍କେଶ୍ଵରୀଙ୍କ ପୀଠ । ଏଠାରେ ଧୂମଧାମରେ ପାଳିତ ହେଉଛି ମାଙ୍କ ପବିତ୍ର ଖଣ୍ଡାବସା ଯାତ୍ରା। ରାଜ ରାଜୁଡ଼ା ଅମଳରୁ ଦେବୀ ଲଙ୍କେଶ୍ଵରୀଙ୍କ ପାଟ ଖଣ୍ଡା ଓ କୁଣ୍ଡୀ ଖଣ୍ଡାକୁ ବର୍ଷକୁ ଥରେ ମାର୍ଜନା କରିବାକୁ ଖଣ୍ଡା ବସା ବୋଲି କୁହାଯାଏ  । ଖଣ୍ଡାବସା ପୂର୍ବରୁ ଥୁଆମୂଳ ରାମପୁର ମାଣିକେଶ୍ଵରୀଙ୍କ ପୀଠରେ ବାଲି ବା ଝାମୁ ଯାତ୍ରା ହୋଇଥାଏ l

କିମ୍ବଦନ୍ତୀ ଅନୁସାରେ ଏଠାରେ ନାଗ ବଂଶୀୟ ରାଜା ଶାସନ କରୁଥିଲେ। ତାଙ୍କର ଇଷ୍ଟ ଦେବୀ ଥିଲେ ମା ଲଙ୍କେଶ୍ବରୀ। ସେବେଠାରୁ ଚାଲି ଆସୁଛି ଏହି ଖଣ୍ଡାବସା ପର୍ବ । ଏହି ଖଣ୍ଡାବସାର ମୁଖ୍ୟ ପୁରୋଧା ହେଉଛନ୍ତି କଳାହାଣ୍ଡି ମହାରାଜା । ପ୍ରତି ବର୍ଷ ମୂଳାଷ୍ଟମୀ ଦିନ ମନ୍ଦିରରୁ ଖଣ୍ଡା ବାହାରି ଜୁନାଗଡ଼ ଅସ୍ଥାୟୀ ରାଜ ଉଆସ ବା ଡାକ ବଙ୍ଗଳାରେ ତିଆରି ହୋଇଥିବା ପତ୍ର କୁଡିଆକୁ ଯାଇଥାଏ । ସେଠାରେ ମାର୍ଜକ ଖଣ୍ଡାକୁ ମାର୍ଜନା ପରେ ପୁଣି ଖଣ୍ଡା ମନ୍ଦିରକୁ ଆସିଥାଏ। ଏହାପରେ ପୂଜକ ଷୋଡଶ ଉପଚାର ପୂଜା ପରେ କଳାହାଣ୍ଡି ମହାରାଜ ଆସି ଖଣ୍ଡା ବସାଇଥାଆନ୍ତି। ତା ପରେ ଦେବୀଙ୍କ ଠାରେ ପୋଢ଼ ବଳି ହୋଇଥାଏ ।ଏହି ଦିନଠାରୁ କଳାହାଣ୍ଡିରେ ଆରମ୍ଭ ହୁଏ ଦଶହରା  । ଲଙ୍କେଶ୍ବରୀଙ୍କ ଖଣ୍ଡାବସା ଯାତ୍ରା ଧୁମଧାମରେ ପାଳନ ହେଉଥିବା ବେଳେ ଜମୁଛି ନାଚ ଗୀତର ଆସର। ଭାଇଚାରାର ଏହି ପର୍ବରେ ସାମିଲ ହୋଇଛନ୍ତି ସମସ୍ତେ। ମାଆଙ୍କ ଦର୍ଶନ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଜମୁଛି ଲୋକଙ୍କ ଭିଡ଼ ।