କେନ୍ଦୁଝରରେ ଜିଲ୍ଲାରେ ବଢ଼ୁଛି ସଂକ୍ରମଣ, ବଡ଼ବିଲରୁ ୩୪ ଲୋକାଲ୍ କେସ୍ ଚିହ୍ନଟ

1 min read

କେନ୍ଦୁଝର: ଜିଲ୍ଲାରେ କରୋନା ସଂକ୍ରମଣ ଚିନ୍ତା ବଢ଼ାଇଲାଣି । ଜିଲ୍ଲାରେ ଆଜି ୪୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୪ଟି ମାମଲା ହେଉଛି ବଡ଼ବିଲର । ବଡ଼ କଥା ହେଉଛି ୩୪ଟି ଯାକ ମାମଲା ସ୍ଥାନୀୟ ସଂକ୍ରମଣ । ଯାହା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ବଡ଼ବିଲକୁ ସଟଡାଉନ୍ ଘୋଷଣା କରାଯାଇଛି । ସଦର ଓ ଝୁମ୍ପୁରା ବ୍ଲକରୁ ଜଣେ ଲେଖାଏଁ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି ।

ଏସବୁକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪୬କୁ ବୃଦ୍ଧି ପାଇଛି ।୧୩୫ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧୧ ଜଣଙ୍କ ଚିକିତ୍ସା କୋଭିଡ୍ ହସ୍ପିଟାଲରେ କରାଯାଉଛି । ଆଜି ୨ କରୋନା ଯୋଦ୍ଧା ଚିହ୍ନଟ ହେବା ପରେ ଝୁମ୍ପୁରାର କେତେକ ଅଂଶ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବିଶୋଧନ କରାଯାଇଛି ।

FILE

ଏଥି ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ମାତୃ ଓ ଶିଶୁ ମଙ୍ଗଳ ବିଭାଗ ବିଲ୍ଡିଂର ସ୍ତ୍ରୀ ଓ ପ୍ରସୂତୀ ବିଭାଗକୁ ସିଲ୍ କରାଯାଇଛି । ଏଥି ସହ ଏହି ବିଭାଗର ଆଉଟ୍ ଡୋର, ଇନ୍ ଡୋର, ଓଟି ଏବଂ ଲେବର ରୁମକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ କୋଠାକୁ ସ୍ଥାନାନ୍ତର କରାଯାଇଛି । ଏଥିରେ କାର୍ଯ୍ୟରତ ପ୍ରାୟ ୪୦ ଜଣ କର୍ମଚାରୀଙ୍କୁ ସଙ୍ଗରୋଧ ରଖାଯାଇଛି । ଝୁମ୍ପୁରା ଓ କବିତ୍ରାର କିଛି ଅଞ୍ଚଳକୁ ସିଲ୍ କରିଛି ପ୍ରସାଶନ ।

କୋଭିଡ୍ ନିୟମ ଅନୁଯାୟୀ ମାସ୍କ ନପିନ୍ଧିବାରୁ ୧୬ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି । କେନ୍ଦୁଝର ଜିଲ୍ଲା କୋଭିଡ୍ ଡାକ୍ତରଖାନାରେ ନିୟମ ଭାଙ୍ଗି ଡାକ୍ତରଖାନା କର୍ମଚାରୀ ଓ ଭିତରର ଭିଡିଓ ସୁଟିଂ କରି ଭାଇରାଲ କରିବା ଅଭିଯୋଗରେ ଟାଉନ୍ ପୋଲିସ ୨ ଚିକିତ୍ସାଧୀନ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

(କେନ୍ଦୁଝରରୁ ମାନସ ତ୍ରିପାଠୀ)

Leave a Reply