5-T ପ୍ରଭାବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ରେକର୍ଡ ସଂଖ୍ୟକ ପଦୋନ୍ନତି

1 min read

ଭୁବନେଶ୍ୱର: 5-T ପ୍ରଭାବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ରେକର୍ଡ ସଂଖ୍ୟକ ପଦୋନ୍ନତି । ଗୋଟିଏ ସପ୍ତାହରେ ରାଜ୍ୟ ସରକାରଙ୍କ ୩୯ଟି ବିଭାଗ ଓ ୩୦ଟି ଜିଲ୍ଲାରେ ଗ୍ରୁପ-ଏ ଠାରୁ ଆରମ୍ଭ କରି ଗ୍ରୁପ-ଡି ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ୩୧୬୬ ଜଣ କର୍ମଚାରୀଙ୍କୁ ମିଳିଲା ପଦୋନ୍ନତି । ଡିସେମ୍ବର ମାସର ଶେଷ ସପ୍ତାହରେ ବିଭିନ୍ନ ବିଭାଗର ଏତେ ସଂଖ୍ୟକ କର୍ମଚାରୀ ପଦୋନ୍ନତି ପାଇବା ଏକ ରେକର୍ଡ ।  ସୂଚନାଯୋଗ୍ୟ ଯେ ନିମ୍ନ ଓ ମଧ୍ୟମ ବର୍ଗର କର୍ମଚାରୀମାନଙ୍କ ପଦୋନ୍ନତି କ୍ଷେତ୍ରରେ ହେଉଥିବା ଅହେତୁକ ବିଳମ୍ୱ ଓ ଅଯଥା ହଇରାଣ ହରକତ ଘଟଣାରେ କ୍ଷୋଭପ୍ରକାଶ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିସେମ୍ୱର ୩୧ ତାରିଖ ସୁଦ୍ଧା ସବୁ ଯୋଗ୍ୟ କର୍ମଚାରୀଙ୍କୁ ପଦୋନ୍ନତି ଦେବା ପାଇଁ ଡିସେମ୍ୱର ୨୧ ତାରିଖ ଦିନ ନିର୍ଦ୍ଦେଶ ଦେଇଥିଲେ ।

ତଦନୁଯାୟୀ ବିଭିନ୍ନ ବିଭାଗରୁ ମିଳିଥିବା ଖବରରୁ ଜଣାଯାଇଛି ଯେ, ଡିସେମ୍ୱର ୨୪ରୁ ୩୧ ସୁଦ୍ଧା ଗ୍ରୁପ ଏ ରେ ୮୫୨ ଜଣଙ୍କୁ ପଦୋନ୍ନତି ଦିଆଯାଇଥିବା ବେଳେ ଗ୍ରୁପ-ବି ରେ ୫୨୬ ଜଣଙ୍କୁ ଗ୍ରୁପ-ସି’ ରେ ୧୪୯୬ ଜଣଙ୍କୁ ଏବଂ ଗ୍ରୁପ-Dରେ ୨୯୧ ଜଣଙ୍କୁ ପଦୋନ୍ନତି ଦିଆଯାଇଛି । ଉଲ୍ଲେଖଯୋଗ୍ୟ ୨୦୧୯ ଜାନୁଆରୀରୁ ନଭେମ୍ୱର ମଧ୍ୟରେ ବିଭିନ୍ନ ବର୍ଗର ୯୭୬୬ ପଦୋନ୍ନତି ପାଇଥିଲେ । ଡିସେମ୍ୱର ମାସରେ ପଦୋନ୍ନତି ପାଇଥିବା ୩୧୬୬ ଜଣଙ୍କୁ ମିଶାଇ ୨୦୧୯ ବର୍ଷରେ ବିଭିନ୍ନ ବର୍ଗର ୧୨.୯୩୨ ଜଣ କର୍ମଚାରୀ ପଦୋନ୍ନତି ସୁବିଧା ପାଇପାରିଛନ୍ତି । କେବଳ ଜିଲ୍ଲା ସ୍ତରରେ ଏହି ସମୟ ମଧ୍ୟରେ ୩୧୩୯ ପଦୋନ୍ନତି ପାଇଛନ୍ତି ।

ବିଭାଗୀୟସ୍ତରରେ ସ୍ୱରାଷ୍ଟ୍ର ବିଭାଗର ସର୍ବାଧିକ ୨୩୩୦ ଜଣ ପଦୋନ୍ନତି ପାଇଥିବା ବେଳେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗରୁ ୧୩୦୭ ଜଣ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରୁ ୧୨୫୧ ଜଣ ପଦୋନ୍ନତି ପାଇଛନ୍ତି । ସେହିପରି ଜିଲ୍ଲାସ୍ତରରେ କଟକ ଜିଲ୍ଲାର ସର୍ବାଧିକ ୭୪୮ ଜଣ କର୍ମଚାରୀ ପଦୋନ୍ନତି ପାଇଥିବା ବେଳେ, ମୟୂରଭଞ୍ଜ ଜିଲ୍ଲାର ୨୧୮ ଜଣ ଓ ଗଞ୍ଜାମରେ ୧୯୪ ଜଣ ପଦୋନ୍ନତି ପାଇଛନ୍ତି ।

ରାଜ୍ୟ ସରକାରଙ୍କ ନୂତନ 5-T ନୀତିରେ ସମୟ, ସ୍ୱଚ୍ଛତା, ମିଳିତ ଉଦ୍ୟମ, ବୈଷୟିକ କୌଶଳର ପ୍ରୟୋଗ ଜରିଆରେ ପରିବର୍ତ୍ତନ ଆଣିବା ଉପରେ ଗୁରୁତ୍ୱ ଦେଉଛନ୍ତି । ୫-ଟିର ଗୁରୁତ୍ୱପୂର୍ଣ୍ଣ ଅଂଶଦାରୀ ଭାବରେ କର୍ମଚାରୀମାନଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କର୍ମଚାରୀଙ୍କ ପଦୋନ୍ନତିରେ ଅଯଥା ବିଳମ୍ୱ ନ କରି ଯଥା ସମୟରେ ପଦୋନ୍ନତି ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply