ହଟିଲା ବ୍ରିଟିଶ ଅମଳର ଆଇନ; ଆଜିଠୁ ତିନୋଟି ନୂତନ ଆଇନ ଲାଗୁ

1 min read

ନୂଆଦିଲ୍ଲୀ : ଦେଶର ନ୍ୟାୟିକ ଓ ଦଣ୍ଡବିଧାନ କ୍ଷେତ୍ରରେ ନୂଆ ଅଧ୍ଯାୟ । ହଟିଲା ବ୍ରିଟିଶ ଅମଳର ଆଇନ । ଆଜିଠୁ ଦେଶରେ ଲାଗୁ ହେଉଛି ତିନୋଟି ନୂତନ ଆଇନ । ଆଇପିସି, ସିଆରପିସି ଏବଂ ଏଭିଡେନ୍ସ ଆକ୍ଟ ପରିବର୍ତ୍ତେ ଆଜିଠୁ ଲାଗୁ ହେଉଛି ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଓ ସାକ୍ଷ୍ୟ ଅଧିନିୟମ । କେବଳ ନାଁ ପରିବର୍ତ୍ତନ ନୁହେଁ ଭାରତୀୟ ଦଣ୍ଡ ବିଧି ଆଇନରେ ଆସିବ ବ୍ୟାପକ ସଂସ୍କାର ।

ପୁରୁଣା ଆଇନରେ ୫୧୧ଟି ଧାରା ରହିଥିବାବେଳେ ନୂଆ ଆଇନରେ ୩୫୮ଟି ଦଣ୍ଡ ବିଧାନ ଧାରାର ବ୍ୟବସ୍ଥା କରାଯାଇଛି । ଏହାସହ ୧୭୫ଟି ଧାରାରେ କରାଯାଇଛି ସଂଶୋଧନ । ନୂଆ ଆଇନ ଅନୁସାରେ, ଭିଡ଼ ହତ୍ୟା-ନାବାଳିକା ଦୁଷ୍କର୍ମରେ ମିଳିବ ଫାଶୀଦଣ୍ଡ । ନୂଆ ଆଇନ ଆତଙ୍କବାଦ, ରାଜଦ୍ରୋହ ଏବଂ ଦେଶ ବିରୋଧରେ କାର୍ଯ୍ୟର ସଂଜ୍ଞାକୁ ଭଲ ଭାବେ ବାଖ୍ୟା କରିବାବୁ ସକ୍ଷମ ହେବ। ସେହିପରେ ଦୁଷ୍କର୍ମ ମାମଲାରେ ପୂର୍ବରୁ ଲାଗୁଥିବା ଆଇପିସି-୩୭୬ ଓ ଗଣ ଦୁଷ୍କର୍ମ ପାଇଁ ଆଇପିସି-୩୭୬(ଡି) ବଦଳରେ ଲାଗୁ ହେବ ବିଏନଏସ୍ ୬୪ ଓ ବିଏନଏସ୍ ୭୦ । ଦୁଷ୍କର୍ମ ମାମଲାରେ ଦଣ୍ଡ ବ୍ୟବସ୍ଥାକୁ ୩ଟି ବର୍ଗ କରାଯାଇଛି । ୮ ବର୍ଷରୁ ଅଧିକ ମହିଳାଙ୍କ ପ୍ରତି ଦୁଷ୍କର୍ମ କଲେ ମିଳିବ ଅନ୍ୟୁନ ୧୦ ବର୍ଷ କିମ୍ବା ଜୀବନବ୍ୟାପୀ ସଜା । ୧୨ ବର୍ଷରୁ ଅଧିକ ଓ ୧୬ ବର୍ଷରୁ କମ୍ ବୟସର ଝିଅ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଅନ୍ୟୁନ ୨୦ ବର୍ଷ ଜେଲ୍, ଜୀବନବ୍ୟାପୀ ସଜା ସହିତ ଆର୍ଥିକ ଜରିମାନା ।

ସେହିପରି ମନି ଲଣ୍ଡରିଂ, ଦେଶର ଐକ୍ୟ, ସାର୍ବଭୌମ ସୁରକ୍ଷା ଓ ହନି ଟ୍ରାପ୍ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ମିଳିବ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ ଜେଲ୍ । ପୂର୍ବରୁ ଆର୍ଥିକ ଓ ସଂଗଠିତ ଅପରାଧ ପାଇଁ IPC ଓ CRPCରେ ସ୍ବତନ୍ତ୍ର ଭାବେ କୌଣସି ଦଣ୍ଡ ବ୍ୟବସ୍ଥା ନ ଥିଲା । ଏବେ ନୂଆ ଆଇନରେ ବିଭିନ୍ନ ଅପରାଧ ନିୟନ୍ତ୍ରଣ ବ୍ୟାପକ ବ୍ୟବସ୍ଥା କରାଯାଇ ତ୍ବରିତ ନ୍ୟାୟକୁ ଗୁରୁତ୍ବ ଦିଆଯାଇଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ଠୁ ନେଇ କୋର୍ଟ ଚୂଡ଼ାନ୍ତ ରାୟ ଦେବା ପର୍ଯ୍ୟନ୍ତ ବ୍ୟବସ୍ଥାରେ ଆଗକୁ ଆମୂଳଚୂଳ ସଂସ୍କାର ଆସିବାକୁ ଯାଉଛି ।

ଏଣିକି ପୋଲିସ ସମସ୍ତଙ୍କୁ ହାତକଡ଼ି ଲଗାଇପାରିବ ନାହିଁ। ଅଭ୍ୟାସଗତ ଅପରାଧୀ, ପୂର୍ବରୁ ଫେରାର୍ ହୋଇଥିବା ଅଭିଯୁକ୍ତ, କିମ୍ବା ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତଙ୍କୁ ହାତକଡ଼ି ଲଗାଇପାରିବ। ଜଣେ ଚାହିଁଲେ ଅନଲାଇନରେ କିମ୍ବା ଜିରୋ-ଏଫଆଇଆର୍ ବ୍ୟବସ୍ଥା ଅନୁସାରେ ଦେଶର ଯେକୌଣସି ଥାନାରେ ଏତଲା ଦେଇପାରିବେ। ୩ଟି ନୂଆ ଆଇନ ପୀଡ଼ିତଙ୍କୁ ତ୍ବରିତ୍ ନ୍ୟାୟ ଦେବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି ।ଗତ ବର୍ଷ ସେପ୍ଟେମ୍ବର ୨୧ରେ ଏହା ସଂସଦରେ ଅନୁମୋଦନ କରିଥିଲା । ଏହାପରେ ଡିସେମ୍ବର ୨୫ରେ ରାଷ୍ଟ୍ରପତି ମଧ୍ୟ ଏହାକୁ ଅନୁମୋଦନ କରିଥିଲେ