ସ୍କୁଲ ବିକାଶ ପାଇଁ ଆସିଥିବା ଅର୍ଥ ହଡ଼ପ କରିଥିବା ତିନି ଦୋଷୀଙ୍କୁ ୪ ବର୍ଷ କାରାଦଣ୍ଡ

କନ୍ଧମାଳ: ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହେଲେ କନ୍ଧମାଳ ଜିଲ୍ଲାର ଜଣେ ବରଖାସ୍ତ ପ୍ରଧାନ ଶିକ୍ଷକ ଓ ସ୍କୁଲ ଶିକ୍ଷା କମିଟିର ଦୁଇ ସଦସ୍ୟ । ସ୍କୁଲ ବିକାଶ ପାଇଁ ଆସିଥିବା ଅର୍ଥ ଆତ୍ମସାତ କରିବା ମାମଲାରେ ବରଖାସ୍ତ ପ୍ରଧାନ ଶିକ୍ଷକ ଓ ସ୍କୁଲ ଶିକ୍ଷା କମିଟିର ଦୁଇ ସଦସ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଫୁଲବାଣୀ ଭିଜିଲାନ୍ସର ସ୍ୱତନ୍ତ୍ର ଜଜ୍ ଏହି ମାମଲାର ଶୁଣାଣି କରି ୩ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡବିଧାନ ଶୁଣାଇଛନ୍ତି । କନ୍ଧମାଳ ଜିଲ୍ଲା ଘାଟିତାଳ ନୂତନ ୟୁପି ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ସ୍କୁଲ ଶିକ୍ଷା କମିଟିର ସମ୍ପାଦକ କିଶୋର କୁମାର ଦାସ, କନ୍ଧମାଳ ସର୍ବଶିକ୍ଷା ଅଭିଯାନର ପୂର୍ବତନ ଟିସି ପୃଥ୍ୱୀରାଜ ଲେଙ୍କା, ଘାଟିତାଳ ନୂତନ ୟୁପି ସ୍କୁଲ ଶିକ୍ଷା କମିଟିର ସଭାପତି ସୁବିନ୍ଦ୍ର କଁଅରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସ୍ୱତନ୍ତ୍ର ଜଜ୍ ।

କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ ଅଧୀନସ୍ଥ ଘାଟିତାଳ ୟୁପି ସ୍କୁଲରେ ନିର୍ମାଣ ପାଇଁ ଆସିଥିବା ଅର୍ଥରାଶି ବାଟବଣା କରଥିଲେ ଏହି ତିନି ଦୋଷୀ । ଦୁଇ ଦୋଷୀ କିଶୋର କୁମାର ଦାଶ ଏବଂ ପୃଥ୍ୱୀରାଜ ଲେଙ୍କାଙ୍କୁ ୪ ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଆଉ ୬ ମାସ ଅଧିକ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦିଆଯାଇଛି । ତିନୋଟି ମାମଲାରେ ଏହି ସମାନ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ସେହିପରି ଅନ୍ୟ ଜଣେ ଦୋଷୀ ସୁବିନ୍ଦର କଅଁରଙ୍କୁ ମଧ୍ୟ ୪ ବର୍ଷ କାରା ଦଣ୍ଡାଦେଶ ସହ ୧୦ ହଜାର ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜରିମାନା ଅନାଦେୟ ହେଲେ ଆଉ ଛଅ ମାସ ଅଧିକ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ତିନି ଦୋଷୀଙ୍କୁ ଆଜି ଜେଲକୁ ସ୍ଥାନାନ୍ତର କରାଯାଇଛି । ଆଜିଠୁ ସେମାନଙ୍କ କାରାଦଣ୍ଡର ଦିନ ହିସାବ ହେବ ।