ଘର ଭିତର ସୁଡ଼ଙ୍ଗରେ ଫସି ୩ ଭାଇ ମୃତ… ଜଣଙ୍କୁ ବଞ୍ଚାଇବାକୁ ଯାଇ ବଳି ପଡିଲେ ଜଣେ ପରେ ଜଣେ

ଗଜପତି: ମୃତ୍ୟୁ କାହାକୁ କେବେ କହି ଆସେନାହିଁ । ଘରର ସୁଡଙ୍ଗରେ ପଶି ୩ ଭାଇଙ୍କର ମୃତ୍ୟୁ କହିଲେ ତାହା ବିଶ୍ୱାସ କରିବା କଷ୍ଟକର । ହେଲେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଘର ଭିତର ସୁଡ଼ଙ୍ଗରେ ପଶି ୩ ଭାଇଙ୍କର ମୃତ୍ୟୁ ହୋଇଛି । ଜଣଙ୍କୁ ବଞ୍ଚେଇବାକୁ ଯାଇ ୨ ଭାଇ ବଳି ପଡିଛନ୍ତି । ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବାର ସନ୍ଦେହ କରାଯାଉଛି । ମୃତକଙ୍କ ନାଁ ହେଉଛି ବିକ୍ରମ ମାଝୀ, ସଞ୍ଜିବ ମାଝୀ ଓ ଜିତୁ ମାଝୀ । ଶୁକ୍ରବାର ରାତିରେ ଘର ଭିତରେ ଥିବା ସୁଡଙ୍ଗକୁ ଜିନିଷ ଆଣିବାକୁ ପ୍ରଥମେ ସଞ୍ଜିବ ଯାଇଥିଲେ । ସେ ଅଚେତ ହୋଇ ପଡିବାରୁ ଭାଇ ବିକ୍ରମ ତାଙ୍କୁ ଉଦ୍ଧାର କରିବାକୁ ଭିତରକୁ ଯାଇଥିଲେ ।

ଦୁଇ ଭାଇ ଅଚେତ ହେବା ଦେଖି ସାନ ଭାଇ ଜିତୁ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ । ତେବେ ସେଠାରେ ସେ ମଧ୍ୟ ସୁଡ଼ଙ୍ଗ ଭିତରେ ଅଚେତ ହୋଇ ପଡିଥିଲେ । ଗଜପତି ଜିଲ୍ଲା ବିରିକୋଟ ଗାଁରେ ଏଭଳି ଅଘଟଣ ଘଟିଛି । ପରିବାର ଲୋକେ ତିନି ଜଣଙ୍କୁ ଉଦ୍ଧାର କରି ବିରିକୋଟ ମେଡିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ସଂକଟାପନ୍ନ ହେବାରୁ ମୋହନା ମେଡିକାଲରେ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ । ସମସ୍ତଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ପୋଲିସ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

Leave a Reply