ବ୍ରହ୍ମୋସ ମିସ୍ ଫାୟାରିଂ ମାମଲା,୩ ବାୟୁସେନା ଅଧିକାରୀ ବରଖାସ୍ତ

ନୂଆଦିଲ୍ଲୀ : ମାର୍ଚ୍ଚ ୯ ତାରିଖ ଦିନ ବ୍ରହ୍ମୋସ କ୍ଷେପଣାସ୍ତ୍ରର ଭୁଲବଶତଃ ପ୍ରକ୍ଷେପଣ ପାଇଁ ତିନି ଜଣ ବାୟୁସେନା ଅଧିକାରୀଙ୍କୁ ଦାୟୀ କରାଯାଇଛି । କେନ୍ଦ୍ର ସରକାର ଏହି ତିନି ଅଧିକାରୀଙ୍କୁ ବାୟୁସେନାରୁ ବରଖାସ୍ତ କରିଛନ୍ତି । ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୯ ତାରିଖ ଦିନ ବ୍ରହ୍ମୋସ କ୍ଷେପଣାସ୍ତ୍ର ପାକିସ୍ତାନ ସୀମାରେ ପଡ଼ିଥିଲା । ତେବେ ଏଥିରେ ଯୁଦ୍ଧାସ୍ତ୍ର ନଥିବାରୁ କୌଣସି କ୍ଷୟକ୍ଷତି ହୋଇନଥିଲା । ଏହି ଘଟଣା ଯୋଗୁ ସେତେବେଳେ ପାକିସ୍ତାନ ଓ ଭାରତ ମଧ୍ୟରେ ବୟାନବାଜୀ ହୋଇଥିଲା । ପାକିସ୍ତାନ ଏହାକୁ ଉସକାଇବା ଭଳି କାର୍ଯ୍ୟ କହିଥିବା ବେଳେ ଭାରତ ଏହା ଅନିଛାକୃତ ତ୍ରୁଟି ଥିଲା  ବୋଲି କହିଥିଲା ।

ଏହି ଘଟଣା ପରେ ଏକ ଉଚ୍ଚ ସ୍ତରୀୟ କମିଟି ପୁରା ମାମଲାରେ ତଦନ୍ତ କରିଥିଲା । ତଦନ୍ତରୁ ତିନି ଜଣ ଅଧିକାରୀ ଏହି ଭୁଲ ପାଇଁ ଦାୟୀ ବୋଲି ଜଣା ପଡି଼ଥିଲା । ଅଗଷ୍ଟ ୨୩ ତାରିଖରେ କେନ୍ଦ୍ର ସରକାର ଯେଉଁ ତିନି ଅଧିକାରୀଙ୍କୁ ବାୟୁସେନାରୁ ବରଖାସ୍ତ କରିଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଗ୍ରୁପ୍ କ୍ୟାପ୍ଟେନ୍,ଜଣେ ୱିଙ୍ଗ କମାଣ୍ଡର ଓ ଜଣେ ସ୍କ୍ୱର୍ଡନ ଲିଡର ।

ନିର୍ଧାରିତ ସଂଚାଳନ ମାନକ ପ୍ରକ୍ରିୟାକୁ ସଠିକ ଭାବେ ଅନୁସରଣ କରିନଥିବାରୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ପାକିସ୍ତାନ ପଟକୁ ଯାଇଥିଲା ବୋଲି ତଦନ୍ତରୁ ଜଣା ପଡି଼ଛି ।