ନାଇଜେରିଆରେ ଡଙ୍ଗା ବୁଡି ୨୭ ମୃତ, ୧୦୦ରୁ ଅଧିକ ନିଖୋଜ

ଅବୁଜା: ଉତ୍ତର ନାଇଜେରିଆର ନାଇଜର ନଦୀ କୂଳରେ ବଜାରକୁ ଖାଦ୍ୟ ପରିବହନ କରୁଥିବା ଏକ ଡଙ୍ଗା ବୁଡ଼ିଯିବା ଫଳରେ ଅତି କମରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି । ୧୦୦ ରୁ ଅଧିକ ନିଖୋଜ ଥିବାବେଳେ ଅଧିକାଂଶ ମହିଳା ନିଖୋଜ ଅଛନ୍ତି। ନାଇଜର ରାଜ୍ୟ ଜରୁରୀକାଳୀନ ପରିଚାଳନା ମୁଖପାତ୍ର କହିଛନ୍ତି ଯେ ଡଙ୍ଗାଟି ବୁଡ଼ିଯିବା ପରେ କୋଗି ରାଜ୍ୟରୁ ପଡୋଶୀ ନାଇଜର ରାଜ୍ୟକୁ ଯାଉଥିବା ଡଙ୍ଗାରେ ପ୍ରାୟ ୨୦୦ ଯାତ୍ରୀ ଥିଲେ।
କୋଗି ରାଜ୍ୟ ଜରୁରୀକାଳୀନ ସେବା ମୁଖପାତ୍ର ସାନ୍ଦ୍ରା ମୋଶାଙ୍କ ଅନୁଯାୟୀ, ଉଦ୍ଧାରକାରୀ ଦଳ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ନଦୀରୁ ୨୭ଟି ମୃତଦେହ ବାହାର କରିବାରେ ସଫଳ ହୋଇଥିବାବେଳେ ସ୍ଥାନୀୟ ଡାଇଭରମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ସେ କହିଛନ୍ତି ଯେ ଘଟଣାର ପ୍ରାୟ ୧୨ ଘଣ୍ଟା ପର୍ଯ୍ୟନ୍ତ କୌଣସି ଜୀବନ୍ତ ବ୍ୟକ୍ତି ମିଳିନଥିଲେ। ଡଙ୍ଗାଟି ଭାରସାମ୍ୟ ହରାଇ ଥାଇପାରେ ବୋଲି ଅନୁମାନ କରାଯାଉଛି । ନାଇଜେରିଆର କିଛି ଅଞ୍ଚଳରେ ରାସ୍ତା ନଥିବାରୁ ଲୋକେ ଡଙ୍ଗା ଉପରେ ନିର୍ଭରଶୀଳ । ଏଥିପାଇଁ ଅଧିକାଂଶ ସମୟରେ ଡଙ୍ଗା ଉପରେ ଭିଡ ଦେଖିବାକୁ ମିଳିଥାଏ । ଆଫ୍ରିକାର ସବୁଠାରୁ ଜନବହୁଳ ଦେଶ ନାଇଜେରିଆରେ ଏଭଳି ସାଂଘାତିକ ଘଟଣା ଏକ ଚିନ୍ତାର କାରଣ ପାଲଟିଛି । କାରଣ ଜଳ ପରିବହନ ପାଇଁ ସୁରକ୍ଷା ବ୍ୟବସ୍ଥା ଏବଂ ନିୟମାବଳୀ କାର୍ଯ୍ୟକାରୀ କରିବାକୁ ସରକାର ଏବେବି ସଂଘର୍ଷ କରୁଛନ୍ତି।
ନାଇଜେରିଆରେ ଅଧିକାଂଶ ଦୁର୍ଘଟଣା ଅତ୍ୟଧିକ ଗହଳି ଏବଂ ଡଙ୍ଗାର ରକ୍ଷଣାବେକ୍ଷଣ ଅଭାବରୁ ହୋଇଥାଏ । ସେହିପରି ସୁରକ୍ଷା ବ୍ୟବସ୍ଥାକୁ ଅବମାନନା କରି ଅଧିକ ଯାତ୍ରୀ ନେବା ମଧ୍ୟ ଏଥିପାଇଁ ଦାୟୀ ରହିଥାନ୍ତି ।