ସଂସଦ ଉପରେ ଆତଙ୍କବାଦୀ ଆକ୍ରମଣକୁ ପୂରିଲା ୨୩ ବର୍ଷ
1 min readନୂଆଦିଲ୍ଲୀ : ସଂସଦ ଉପରେ ଆତଙ୍କବାଦୀ ଆକ୍ରମଣକୁ ପୂରିଛି ୨୩ ବର୍ଷ । ସେଦିନର ଆକ୍ରମଣ ସେଇ କଥା ମନେ ପଡିଲେ, ଆଜି ବି ଛାତି ଥରାଇ ଦେଉଛି । ୨୦୦୧ ମସିହା ଡିସେମ୍ବର ୧୩ ତାରିଖ ସକାଳ ସାଢେ ଏଗାରଟାରେ ସଂସଦର ଶୀତ ଅଧିବେଶନ ସମୟରେ ହଠାତ ବର୍ଷିଥିଲା ଗୁଳି । ପୂରା ଶାନ୍ତ ଥିବା ସଂସଦ ପରିସର ହଠାତ ପାଲଟିଥିଲା ରଣକ୍ଷେତ୍ର ।
ସେଦିନ ଉଭୟ ଗୃହ ୪୦ ମିନଟ ପାଇଁ ମୁଲତବୀ ହୋଇଥିବାରୁ ସାଂସଦମାନେ ବାହାରେ ବୁଲାବୁଲି କରୁଥିଲେ । ହଠାତ ବିଜୟ ଚୌକ ପଟୁ ଗୃହ ମନ୍ତ୍ରଣାଳୟ ଓ ସଂସଦ ଷ୍ଟିକର ଲାଗିଥିବା ଧଳା ରଙ୍ଗର ଗାଡି ଅତି କ୍ଷୀପ୍ରଗତିରେ ପ୍ରବେଶ କଲା। ସନ୍ଦେହ କରି ସେଠାରେ ମୁତୟନ ଥିବା ସିଆରପିଏଫର ମହିଳା କନେଷ୍ଟବଳ ଆଲାର୍ମ ବଜାଇବାକୁ ଚେଷ୍ଟା କଲେ । ହେଲେ ଆତଙ୍କବାଦୀଙ୍କ ଗୁଳି ମାଡରେ ପ୍ରଥମେ ସେ ଘଟଣା ସ୍ଥଳରେ ହିଁ ଟଳି ପଡିଥିଲେ। ଏହା ଦେଖି ଯିଏ ଯୁଆଡେ ପାରିଲେ ଦୌଡିବା ଆରମ୍ଭ କଲେ। ଆତଙ୍କବାଦୀ ଆରମ୍ଭ କରିଦେଲେ ଅଖି ବୁଜା ଗୁଳିମାଡ। ଆକ୍ରମଣକାରୀ ସାଙ୍ଗରେ ଆଣିଥିଲେ ଏକେ ୪୭, ଗ୍ରେନେଡ ଲଞ୍ଚର, ହ୍ୟାଣ୍ଡ ଗ୍ରେନେଡ ଓ ପିସ୍ତଲ । ସେ ସମୟରେ ଗୃହମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ସମେତ ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ସାଂସଦ ସଂସଦ ପରିସରରେ ଉପସ୍ଥିତ ଥିଲେ । ଆକ୍ରମଣର ଏହି ଦୃଶ୍ୟକୁ ଲୋକସଭା ସଚିବାଳୟର ପୂର୍ବତନ ଯୁଗ୍ମ ସଚିବ ପୂଲିନ ଭୂତିଆ ଓ ପୂର୍ବତନ ଅଧିକାରୀ ଶାନ୍ତନୁ ପ୍ରଧାନ ବର୍ଣ୍ଣନା କରିଛନ୍ତି ।
ପାର୍ଲିଆମେଣ୍ଟର ସୁରକ୍ଷା କର୍ମୀ ଓ ୫ ଜଣ ଆତଙ୍କବାଦୀଙ୍କ ମଧ୍ୟରେ ଲଢେଇ ଲାଗିରହିଲା । ପ୍ରାୟ ଅଧ ଘଣ୍ଟା ଲଢେଇ ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ସମସ୍ତ ୫ ଜଣ ଆତଙ୍କବାଦୀଙ୍କ ସମେତ ଦିଲ୍ଲୀ ପୋଲିସର ୫ ଜଣ ସୁରକ୍ଷା କର୍ମୀ, କେନ୍ଦ୍ରୀୟ ରିଜର୍ଭ ପୋଲିସର ଜଣେ ମହିଳା ଯବାନ ଓ ଜଣେ ମାଳିଙ୍କର ମୃତ୍ୟୁ ହୋଇଥିଲା ।
ସଂସଦ ଆକ୍ରମଣ ପାଇଁ ଜୈସ-ଏ-ମହମ୍ମଦ ଓ ଲସ୍କର-ଇ-ତୋଏବା ନିଜକୁ ଦାୟୀ କରିଥିଲେ। ପରବର୍ତ୍ତୀ ସମୟରେ ସଂସଦର ସୁରକ୍ଷା ମଧ୍ୟ ବଢାଇ ଦିଆଯାଇଥିଲା । ତେବେ ୨୦୨୩ ମସିହା ଡିସେମ୍ବର ମାସ ୧୩ରେ ପବ୍ଲିକ ଗ୍ୟାଲେରୀରୁ ଜଣେ ଯୁବକ ଲୋକସଭା ଚ୍ୟାମ୍ବର ମଧ୍ୟକୁ ଲମ୍ଫ ପ୍ରଦାନ କରି ରଙ୍ଗୀନ ଧୂଆଁ ସ୍ପ୍ରେ କରିଥିଲେ । ହେଲେ ଏଥିରେ କାହାରି କିଛି କ୍ଷତି ହୋଇନଥିବା ବେଳେ ସୁରକ୍ଷା ପ୍ରତି ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।