ଦୁଇ ଲକ୍ଷ କୋଟି ଟଙ୍କାର ବଜେଟ

1 min read

ଭୁବନେଶ୍ବର: ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ୨ ଲକ୍ଷ କୋଟି ଟଙ୍କାର ଐତିହାସିକ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବିଗତ ୨୨ ବର୍ଷରେ ବଜେଟର ଆକାର ୨୭ ଗୁଣ ବୃଦ୍ଧି ପାଇଛି । ରାଜ୍ୟର ସାମଗ୍ରିକ ବିକାଶ, ଜନଜୀବନରେ ଗୁଣବତ୍ତା ଉପରେ ବଜେଟରେ ଦିଆଯାଇଛି ଗୁରୁତ୍ବ । ଚଳିତ ବଜେଟରେ ସାମଗ୍ରିକ ଭାବେ ସ୍ବାସ୍ଥ୍ୟ ବଜେଟ ପରିମାଣ ୩୮ ପ୍ରତିଶତ ବୃଦ୍ଧି କରାଯାଇଛି । ବଜେଟରେ ପ୍ରାଶାସନିକ ରାଜସ୍ବ ବ୍ୟୟ ବରାଦ  ୭୪ ହଜାର ୨୬୧ କୋଟି ଟଙ୍କା କରାଯାଇଛି । ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ପୁଞ୍ଜି ବ୍ୟୟ ଅଟକଳ ପରିମାଣ ୩୮, ୭୩୨ କୋଟି ଟଙ୍କା ରହିଛି । ବଜେଟରେ ରାଜସ୍ବ ଆୟ ପରିମାଣ ୧ ଲକ୍ଷ ୬୩ ହଜାର ୬୭ କୋଟି ଟଙ୍କାର ବ୍ୟବସ୍ଥା ରହିଛି । କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ ଭାବେ ୩୬, ୯୭୮ କୋଟି ଟଙ୍କା, ରାଜ୍ୟର ନିଜସ୍ବ ଟିକସ ଭାବେ ୪୬ ହଜାର କୋଟି, ନିଜସ୍ବ ଅଣଟିକସ ରାଜସ୍ବ ୪୮, ୨୦୦ଟଙ୍କା ଆୟ ଲକ୍ଷ୍ୟ ରହିଛି ।

ଜନସ୍ବାସ୍ଥ୍ୟ ସେବା ଲାଗି ୧୨, ୬୨୪ କୋଟି ଟଙ୍କା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଲାଗି ୨, ୬୬୪ କୋଟି ବରାଦ ହୋଇଛି । ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନ ଲାଗି ୨,୩୨୫ କୋଟି, ପରିବାର କଲ୍ୟାଣ ଯୋଜନା ଲାଗି କୋଟି, ଶିକ୍ଷା ଓ ଦକ୍ଷତା ବିକାଶ ଲାଗି ୨୭, ୩୨୪ କୋଟି, ମୋ ସ୍କୁଲ ଅଭିଯାନ ଲାଗି ୬୬୪ କୋଟି ଟଙ୍କା, ବିଦ୍ୟାଳୟ ରୂପାନ୍ତରଣ ଲାଗି ୧୦୦ କୋଟିର ବ୍ୟୟ ବରାଦ ହୋଇଛି । ଅନସୂଚିତ ଜାତି ଓ ଜନଜାତି ଲାଗି ଉଦ୍ଦିଷ୍ଟ ଆକାଂକ୍ଷା ଯୋଜନା ଲାଗି ୫୩୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ରାଜ୍ୟରେ ଧାର୍ମିକ ପର୍ଯ୍ୟଟନର ବିକାଶ ଲାଗି ୧୯୫୦ କୋଟି, ଅବଢ଼ା ଯୋଜନାରେ ୧,୩୨୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ପର୍ଯ୍ୟଟନର ବିକାଶ ଲାଗି ୮୩୦ କୋଟି ଟଙ୍କା ରହିଛି ।

ସଡ଼କ, ରେଳ, ବନ୍ଦର ଓ ସଂଯୋଗୀକରଣ ଲାଗି ୧୪, ୪୫୪ କୋଟି ଟଙ୍କାର ବ୍ୟୟ ଲକ୍ଷ୍ୟ ରହିଛି । ସେଥିରେ ବିଜୁ ସେତୁ ଯୋଜନା ଲାଗି ୧,୬୮୮ କୋଟି ରହିଛି । କ୍ରୀଡ଼ା ଓ ଯୁବସେବା କ୍ଷେତ୍ରରେ ୧, ୫୦୦ କୋଟି ଟଙ୍କାର ନିବେଶ ଯୋଜନା ରହିଛି । ଜଳଜୀବନ ମିଶନ ଲାଗି ୬ ହଜାର କୋଟି, ବସୁଧା ଯୋଜନା ଲାଗି ୧, ୮୫୦ କୋଟିର ବ୍ୟୟବରାଦ ହୋଇଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଲାଗି ୭୨୫୮ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ପିଏମଏଓ୍ବାଇ- ଗ୍ରାମୀଣ ଓ ବିଜୁ ପକ୍କାଘର ଯୋଜନା ଲାଗି ୫, ୯୦୬ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ଅର୍ଥମନ୍ତ୍ରୀ ।

କେତେ ଆୟ, କେତେ ବ୍ୟୟ ?

ବଜେଟରେ କେନ୍ଦ୍ରୀୟ ଅନୁଦାନରୁ ଆସିବ ୧୬.୩୯ ପ୍ରତିଶତ । ପୁଞ୍ଜିପ୍ରାପ୍ତି ହେବ ୧୮.୦୨ ପ୍ରତିଶତ । ନିଜସ୍ବ ଟିକସ ବାବଦକୁ ରାଜ୍ୟ ସଂଗ୍ରହ କରିବ ୨୩ ପ୍ରତିଶତ । ଅଣଟିକସରୁ ଆସିବ ୨୪.୧୦ ପ୍ରତିଶତ । କେନ୍ଦ୍ରୀୟ ଟିକସ ଅଂଶ ବାବଦକୁ ରାଜ୍ୟକୁ ମିଳିବ ୧୮.୪୯ ପ୍ରତିଶଥ । ସେହିପରି  ଯୋଜନା ବାବଦକୁ ଖର୍ଚ୍ଚ ହେବ ୫୦ ପ୍ରତିଶତ । ପ୍ରଶାସନିକ ବାବଦକୁ ଖର୍ଚ୍ଚ ହେବ ୪୪.୮୦ ପ୍ରତିଶତ । ରାଜ୍ୟରୁ ହସ୍ତାନ୍ତର ହେବ ୩.୬୦ ପ୍ରତିଶତ । ବିପର୍ଯ୍ୟୟ ପରିଚାଳନା ବାବଦରେ ଖର୍ଚ୍ଚ ହେବ ୧.୬୧ ପ୍ରତିଶତ ।