ସ୍ୱେରେଜ୍ ଦୁର୍ଘଟଣା ପରେ ଦୁଇ ଯନ୍ତ୍ରୀଙ୍କୁ ବଦଳି, ଜଣେ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ
1 min readକଟକ: କଟକ ସିଡିଏ ସେକ୍ଟର-୧୦ ସ୍ୱେରେଜରେ ଅଣନିଶ୍ୱାସୀ ହୋଇ ଶ୍ରମିକଙ୍କ ମୃତ୍ୟୁ ଘଟଣା । ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଘଟଣାରେ ୨ ଇଞ୍ଜିନିୟରଙ୍କୁ ବଦଳି କରାଯାଇଥିବା ବେଳେ କନିଷ୍ଠ ଯନ୍ତ୍ରୀଙ୍କ ନିଲମ୍ବିତ କରିଛନ୍ତି । ଏଥିସହ ସେମାନଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି । ମୃତକଙ୍କୁ ପରିବାର ବର୍ଗକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ।
ଗୁରୁବାର କଟକ ସିଡିଏ ସେକ୍ଟର-୧୦ରେ ସ୍ୱେରେଜ କାମ ସମୟରେ ଦୁଇ ଜଣ ଶ୍ରମିକ ପ୍ରାଣ ହରାଇଥିଲେ । ଅନ୍ୟ ଜଣେ ଗୁରୁତର ଅସୁସ୍ଥ ହୋଇ ଏସସିବିରେ ଚିକିତ୍ସିତ ହେଉଥିବା ବେଳେ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଛି । ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିବା ସହ ଦାୟିତ୍ୱରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।+
ତଦନୁଯାୟୀ ଘଟଣାର ତଦନ୍ତ କରାଯାଇ PHEOର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତଥା ୱାଟକୋ ଜିଏମ୍ ସୁଶାନ୍ତ ଘଡେଇ ,ଏସଡିଓ ଏବଂଜିଏମ ୱାଟକୋ ସୁବାସ ରାଉତଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । କନିଷ୍ଠ ଇଞ୍ଜିନିୟର ପ୍ରଦ୍ଯୋତ କୁମାର ସାହୁଙ୍କୁ ନିଲମ୍ବିତ କରାଯାଇଛି । ତା ସହିତ କନିଷ୍ଠ ଯନ୍ତ୍ରୀ ଶ୍ରୀ ସାହୁ ଏବଂ ସେବା ପ୍ରଦାନକାରୀ ସଂସ୍ଥାର ଦୀପକ ନାୟକଙ୍କ ବିରୋଧରେ ସିଏମସି ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।