ଜନ୍ମାଷ୍ଟମୀ ଆଳତି ବେଳେ ଦଳାଚକଟା ଘଟି ଜୀବନ ହାରିଲେ ୨

ମଥୁରା: ଜନ୍ମାଷ୍ଟମୀ ପାଳନ ବେଳେ ଅଘଟଣ । ଉତ୍ତର ପ୍ରଦେଶ ମଥୁରାରେ ଦଳାଚକଟାରେ ୨ ଭକ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ୬ରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ରହିଛନ୍ତି  । ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମନ୍ଦିରରେ ବହୁସଂଖ୍ୟକ ଭକ୍ତଙ୍କ ସମାଗମ ଘଟିବାରୁ ଏହି ଅଘଟଣ ଘଟିଛି । ମଥୁରାର ବାଙ୍କ ବିହାରୀ ମନ୍ଦିରରେ ଗତକାଲି ରାତିରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ହେଉଥିବାବେଳେ ଭକ୍ତମାନେ ଦର୍ଶନ ଲାଗି ଭିଡ଼ ଜମାଇଥିଲେ ।

ପୋଲିସ ବି ଭକ୍ତଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲା । ଫଳରେ ସେଠାରେ ଦଳାଚକଟା ଘଟିଥିଲା । ଆରତି ଚାଲିଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ମଥୁରା ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଭୂମି ହୋଇଥିବାରୁ ପ୍ରତିବର୍ଷ ଜନ୍ମାଷ୍ଟମୀରେ ଏଠାରେ ଭିଡ ଜମିଥାଏ ।

ପୂର୍ବରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୃଷ୍ଣ ଜନ୍ମଭୂମି ମନ୍ଦିର ମଥୁରାରେ ପହଞ୍ଚି ରାଜ୍ୟରେ ମନ୍ଦିର  ଐତିହ୍ୟର ପ୍ରଚାର ପ୍ରସାର ପାଇଁ ରାଜ୍ୟବାସୀଙ୍କୁ ଅପିଲ୍‌ କରିଥିଲେ  ।