ସେନେଗଲରେ ଭୟଙ୍କର ସଡ଼କ ଦୁର୍ଘଟଣା, ୪୦ ମୃତ

ସେନେଗଲ: ଆଫ୍ରିକୀୟ ଦେଶ ସେନେଗଲରେ ଭୟଙ୍କର ସଡ଼କ ଦୁର୍ଘଟଣା ମାମଲା ସାମ୍ନାକୁ ଆସିଛି । ଦୁଇ ବସ୍ ମଧ୍ୟରେ ଧକ୍କା ହେବା ଫଳରେ ଅତି କମରେ ୪୦ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏକ ବସର ଟାୟାର ଫାଟିଯିବା କାରଣରୁ ତାହା ଅନିୟନ୍ତ୍ରିତ ହୋଇ ଅନ୍ୟ ଏକ ବସ୍ ସହ ଧକ୍କା ହୋଇଥିଲା । ଯାହାଫଳେ ବସରେ ଯାତ୍ରୀ କରୁଥିବା ୪୦ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ।

ରାଷ୍ଟ୍ରପତି ମେକି ସାଲ କହିଛନ୍ତି ଯେ ସଡ଼କ ଦୁର୍ଘଟଣାଟି କେଫରିନ ଅଞ୍ଚଳର ଗନିବି ଗାଁରେ ପ୍ରାୟ ସାଢେ ତିନିଟା ସମୟରେ ହୋଇଛି । ରାଷ୍ଟ୍ରପତି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ତିନିଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ଏଏଫପିର ରିପୋର୍ଟ ମୁତାବକ, ଦୁର୍ଘଟଣାଟି କେଫରିନ ସହର ପାଖରେ ହୋଇଛି । ଇମରଜେନ୍ସି ସର୍ଭିସର ଅଫିସର ଶେଖ ଫଲ କହିଛନ୍ତି ଯେ, ୧୨୫ ଜଣ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏଥିମଧ୍ୟରୁ ୮୭ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।