ଆପଣଙ୍କ ବୟସ ଯଦି ୧୮ରୁ ୪୪ ଭିତରେ ତେବେ ବାଛି ପାରିବେ ନିଜ ପସନ୍ଦର ଟିକା

ନୂଆଦିଲ୍ଲୀ: ଦେଶରେ ଜାନୁଆରୀ ୬ ତାରିଖରୁ କରୋନା ଟିକାକରଣ ଆରମ୍ଭ ହୋଇଛି । ଭାରତରେ ଏବେ ଦୁଇଟି ଟିକା ଦିଆଯାଉଛି । ତେବେ କିଏ କେଉଁ ଟିକା ନେବେ ତାହା ବାଛିବାର ବିକଳ୍ପ ଉପଲବ୍ଧ ନଥିଲା । ସେଣ୍ଟରରେ ଉପଲବ୍ଧ ଥିବା ଟିକା ନେବାକୁ ସମସ୍ତେ ବାଧ୍ୟ ହେଉଥିଲେ । କିନ୍ତୁ ଏବେ ୧୮ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତି ବିକଳ୍ପ ବାଛି ପାରିବେ । ଯଦି ଆପଣଙ୍କ ବୟସ ୧୮ରୁ ୪୪ ମଧ୍ୟରେ ତେବେ ଆପଣ ନିଜ ଇଛା ମୁତାବକ କୋଭାକ୍ସିନ୍ କିମ୍ବା କୋଭିସିଲ୍ଡ୍ ନେଇ ପାରିବେ । ତେବେ ଏହି ସୁବିଧା କେବଳ ବେସରକାରୀ ଟିକା କେନ୍ଦ୍ରରେ ମିଳିବ । ଏକ ଘରୋଇ ଚ୍ୟାନେଲ ସହିତ ଆଲୋଚନା କାଳରେ ଏବାବଦରେ ସୂଚନା ଦେଇଛନ୍ତି କୋୱିନ୍ ଆପ୍ ମୁଖ୍ୟ ଆର ଏସ ଶର୍ମା ।
ଶର୍ମା ସ୍ପଷ୍ଟ ଭାବେ କହିଛନ୍ତି ଯେ, ଭ୍ୟାକ୍ସିନ ବାଛିବାର ବିକଳ୍ପ କେବଳ ପ୍ରାଇଭେଟ୍ ସେଣ୍ଟରରେ ଉପଲବ୍ଧ ହେବ । ସରକାରୀ କେନ୍ଦ୍ରରେ ଯେଉଁ ଟିକା ଉପଲବ୍ଧ ଥିବ ସେହି ଟିକା ହିଁ ଦିଆଯିବ । ସରକାରୀ କେନ୍ଦ୍ରରେ କୌଣସି ବିକଳ୍ପ ବାଛିବାର ସୁବିଧା ମିଳିବ ନାହିଁ । ଘରୋଇ ଟିକା କେନ୍ଦ୍ର ସେମାନଙ୍କ ପାଖରେ ଉପଲବ୍ଧ ଥିବା ଟିକା ଓ ତାର ଦାମ ବାବଦରେ ସୂଚନା ଦେବେ । କୋୱିନ୍ ଆପରେ ଘରୋଇ ଟିକା କେନ୍ଦ୍ରରେ ଉପଲବ୍ଧ ଟିକା ଓ ତାର ମୂଲ୍ୟ ବାବଦରେ ସୂଚନା ରହିବ । .
ସୂଚନାଯୋଗ୍ୟ ଯେ, ମେ ୧ ତାରିଖରୁ ଟିକା ଉତ୍ପାଦକ ୫୦ ପ୍ରତିଶତ ଟିକା ସିଧା ରାଜ୍ୟ ଓ ଖୋଲା ବଜାରରେ ବିକ୍ରି କରିପାରିବେ । ବାକି ୫୦ ପ୍ରତିଶତ ଟିକା କେନ୍ଦ୍ର ସରକାରଙ୍କ ପାଖକୁ ଯିବ । ଏହି ୫୦ ପ୍ରତିଶତ ଟିକାକୁ କେନ୍ଦ୍ର ୪୫ ବର୍ଷରୁ ଅଧିକ ନାଗରିକ ,ସ୍ୱାସ୍ଥ୍ୟ କର୍ମୀ ଓ ଫ୍ରଣ୍ଟ ଲାଇନ୍ ଯୋଦ୍ଧାଙ୍କ ଟିକାକରଣରେ ବ୍ୟବହାର କରିବ ।
ବର୍ତ୍ତମାନ ସରକାରୀ ସେଣ୍ଟରରେ ଟିକା ମାଗଣା ମିଳୁଥିବା ବେଳେ ଘରୋଇ କେନ୍ଦ୍ରରେ ଟିକା ପ୍ରତି ଡୋଜ୍ ୨୫୦ ଟଙ୍କାରେ ମିଳୁଛି । ୧୮ରୁ ୪୪ ବର୍ଷୀୟ ନାଗରିକଙ୍କୁ ଟିକା ନିଜେ କିଣିବାକୁ ହେବ । ତେବେ ଅନେକ ରାଜ୍ୟ ସମସ୍ତଙ୍କୁ ମାଗଣା ଟିକା ଦେବାକୁ ଘୋଷଣା କରି ସାରିଛନ୍ତି ।

Leave a Reply