ଉତ୍ତର ଭାରତରେ ଜଳ ପ୍ରଳୟ; ଦିଲ୍ଲୀରେ ରେକର୍ଡ ବର୍ଷା, ପଞ୍ଜାବରେ ସ୍ଥିତି ଅସମ୍ଭାଳ, ହିମାଚଳ ସ୍ଥିତି ସଙ୍ଗୀନ

1 min read

ନୂଆଦିଲ୍ଲୀ: ବର୍ଷୁଛି ମୌସୁମୀ, ଭାସୁଛି ସହର । ଉତ୍ତର ଭାରତରେ ବନ୍ୟା । ରାସ୍ତାରେ ଚାଲୁଛି ଡଙ୍ଗା । ପାଣି ଭିତରେ ବନ୍ଦ ପଡିଛି କାର, ଟ୍ରକ୍‌ । ଦିଲ୍ଲୀ, ହିମାଚଳ ପ୍ରଦେଶ, ପଞ୍ଜାବରେ ପ୍ରବଳ ବର୍ଷା । ଦିଲ୍ଲୀରେ ୪୧ ବର୍ଷର ରେକର୍ଡ ଭାଙ୍ଗିଲା ଏଥରର ବର୍ଷା । ୧୯୮୨ ପରେ ପ୍ରଥମ ଥର ପାଇଁ ଜୁଲାଇ ମାସରେ ଗୋଟିଏ ଦିନରେ ୧୫୩ ମିଲି ମିଟରରୁ ଅଧିକ ବର୍ଷା ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଜାମ୍ମୁ କାଶ୍ମୀର, ହିମାଚଳ ଓ ୟୁପିରେ ନଦୀର ଜଳସ୍ତର ବଢିବାରେ ଲାଗିଛି । ଏହି ସବୁ ରାଜ୍ୟରେ ୧୩ରୁ ଅଧିକ ଲୋକଙ୍କ ବନ୍ୟା ପାଣିରେ ଭାସିଯାଇ ମୃତ୍ୟୁ ହୋଇଛି ।

ହିମାଚଳ ପ୍ରଦେଶରେ ସବୁଠୁ ଅଧିକ କ୍ଷତି ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଯୋଗୁଁ ବ୍ୟାସ ନଦୀର ଜଳସ୍ତର ବଢିବା ସହ ଜନବସତି ଆଡକୁ ମାଡି ଆସିଛି ବନ୍ୟା ଜଳ । ଲୋକଙ୍କ ଘରେ ମଧ୍ୟ ପାଣିପଶି ଛାରଖାର ହୋଇଯାଇଛି । ଉଚ୍ଚସ୍ଥାନରେ ଥିବା ଲୋକଙ୍କ ଘର ମଧ୍ୟ ବନ୍ୟା ଜଳରୁ ସୁରକ୍ଷିତ ନାହାନ୍ତି । ଘରୁ ବାହାରିବାକୁ ହେଲେ ପହଁରି ପହଁରି ଯିବାକୁ ପଡୁଛି । ବନ୍ୟାପାଣି ପ୍ରଖର ଗତିରେ ମାଡିବା ଯୋଗୁଁ ଚଣ୍ଡିଗଡ଼-ମନାଲି ଜାତୀୟ ରାଜପଥର ଏକ ଅଂଶ ଧୋଇ ହୋଇଯାଇଛି । ହଠାତ୍ ନଦୀର ପାଣି ପଶି ଆସିବାରୁ ଆଖପାଖରେ ଥିବା କାର, ଦୋକାନ ଏବଂ ଏଟିଏମ୍ ବୁଥ୍ ଭାସିଯାଇଥିବା ଦେଖିବାକୁ ମିଳିଛି ।

ଫଶିରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଏନଡିଆରଏଫ ଟିମ୍‌ ବନ୍ୟାଞ୍ଚଳରେ ପହଞ୍ଚିଛନ୍ତି । ଲୋକଙ୍କୁ ଉଦ୍ଧାର କରୁଛନ୍ତି । ସୁରକ୍ଷିତ ସ୍ଥାନକୁ ନେବା ସହ ସେମାନଙ୍କ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରୁଛନ୍ତି । କିଛି ସ୍ଥାନରେ ବନ୍ୟା ଜଳ ଏତେ ପ୍ରଖର ଯେ ସେ ଅଞ୍ଚଳକୁ ଯିବା ଆସିବା ସମ୍ପୂର୍ଣ୍ଣ ବନ୍ଦ ରହିଛି । ଫଶି ରହିଥିବା ଲୋକଙ୍କୁ ନିଜ ନିଜକୁ ସୁରକ୍ଷିତ ରଖିବା ପାଇଁ ଅପିଲ କରାଯାଇଛି । କୁଲୁ ମନାଲିରେ ମଧ୍ୟ ସ୍ଥିତି ଅତି ଭୟଙ୍କର ହୋଇଛି । ଗତରାତିରେ ବନ୍ୟା ପାଣି ମାଡି ମାସିବାରୁ ଅନେକ ସ୍ଥାନ ଏବେ ନଦୀର ଭ୍ରମ ସୃଷ୍ଟି କରିଛି ।

ମନାଲୀରେ ପାର୍କ ହୋଇଥିବା କାର ଗୁଡିକ ଭାସୁ ଯାଉଥିବା ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଯୋଗୁଁ ଜମ୍ମୁକୁ ଖାଦ୍ୟ ଯୋଗାଣ ବାଧାପ୍ରାପ୍ତ ହୋଇଛି । ଲମ୍ବା ଲାଇନ ହୋଇ ରାସ୍ତାରେ ସବୁ ଟ୍ରକ ଠିଆ ହୋଇଛନ୍ତି । ରାସ୍ତା ଭାସିଯିବାରୁ ଜନଜୀବନ ବ୍ୟାପକ ପ୍ରଭାବିତ ହୋଇଛି । ଦିଲ୍ଲୀରେ ବର୍ଷା ବିତ୍ପାତର ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମସ୍ତ ବିଭାଗୀୟ ଅଧିକାରୀଙ୍କ ଛୁଟିକୁ ବାତିଲ କରିଛନ୍ତି । ସେମାନଙ୍କୁ ଫିଲ୍ଡ ସର୍ଭେ କରି ଲୋକଙ୍କ ଦୁଃଖ ବୁଝିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଦିଲ୍ଲୀର ଅଗ୍ନିଶମ ବିଭାଗ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପ୍ରବଳ ବର୍ଷା ଯୋଗୁ ଦିଲ୍ଲୀରେ ୧୫ଟି ଘର ମାଟିରେ ମିଶି ଯାଇଥିବା ବେଳେ କାନ୍ଥ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳାଜଣକ ହେଉଛନ୍ତି ୫୮ ବର୍ଷୀୟା ରଞ୍ଜିତ କୌର । ବର୍ଷା ଯୋଗୁ ଦିଲ୍ଲୀର କାଲକାଜୀ ଅଞ୍ଚଳରେ ଏକ କାନ୍ଥୁ ଭୁଶୁଡ଼ି ୧୫ ଲକଜୁରୀ କାର୍‌ ଓ ୧୦ଟି ୨ ଚକିଆ ଯାନ ଭାଙ୍ଗିରୁଜି ଯାଇଛି । ହରିୟାଣା, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନ, ପଞ୍ଜାବ, ଜମ୍ମୁ କଶ୍ମୀରରେ ପ୍ରବଳ ବର୍ଷା ଲାଗି ରହିଛି । ଏହି ସବୁ ଜିଲ୍ଲାରେ ଆହୁରି ଭୀଷଣ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ କରାଇଛି ।