ପୁଣି ମହାବଳ ବାଘଙ୍କ ଗର୍ଜନରେ କମ୍ପିବ ସାତକୋଶିଆ, ଆସିବେ ୧୪ ବାଘୁଣୀ

ଭୁବନେଶ୍ବର: ସାତକୋଶିଆକୁ ପୁଣି ଆସିବେ ମହାବଳ ବାଘ । ଏଥିପାଇଁ ଏନଟିସିଏ ରଖିଲା ସର୍ତ୍ତ । ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ । ସାତକୋଶିଆକୁ ୧୪ଟି ବାଘୁଣୀ ଆଣିବାକୁ ଏନଟିସିଏରୁ ମିଳିଛି ଅନୁମତି । ସାତକୋଶିଆ ଅଭୟାରଣ୍ୟ ବ୍ୟାଘ୍ର ପ୍ରକଳ୍ପ ପାଇଁ ଅନୁକୂଳ ହୋଇଥିବାରୁ କିଛିବର୍ଷ ପୂର୍ବେ ଗୋଟିଏ ବାଘ ଆଉ ଗୋଟିଏ ବାଘୁଣୀ ବାହାର ରାଜ୍ୟରୁ ଅଣାଯାଇଥିଲା ।

ସୂଚନାଯୋଗ୍ୟ, କିଛି ବର୍ଷ ପୂର୍ବେ ସାତକୋସିଆକୁ ଦୁଇଟଇ ବାଘ ଓ ବାଘୁଣୀ ଅଣାଯାଇଥିଲା । ଶିକାରୀଙ୍କ ଫାସରେ ପଡି ବାଘର ମୃତ୍ୟୁ ଘଟିଥିବା ବେଳେ ବାଘୁଣୀ ସୁନ୍ଦରୀ ମଣିଷ ମାରିବା ଯୋଗୁଁ ଅନେକ ଦିନ ବନ୍ଦୀ ଜୀବନ କାଟିବା ପରେ ମଧ୍ୟପ୍ରଦେଶକୁ ଫେରିଯାଇଥିଲା । ଫଳରେ ବ୍ୟାଘ୍ର ପ୍ରକଳ୍ପ ସ୍ୱପ୍ନ କ୍ଷୀଣ ହୋଇଯାଇଥିଲା ।

ତେବେ ଖୁସି ଖବର ହେଲା ସାତକୋଶିଆକୁ ୧୪ଟି ବାଘୁଣୀ ଆଣିବାକୁ ଏନଟିସିଏରୁ ଅନୁମତି ମିଳିଛି । ବିଭାଗ ତରଫରୁ ୫ ବର୍ଷିଆ ଯୋଜନା କରାଯିବ । ମହାରାଷ୍ଟ୍ରର ତଡବା ଜଙ୍ଗଲରେ ଥିବା ବାଘଙ୍କ ଜେନେଟିକ ଓଡ଼ିଶାର ବାଘଙ୍କ ସହ ସାମଞ୍ଜସ୍ୟ ଥିବାରୁ ସେଠାରୁ ଚଳିତ ଥର ବାଘ ଆସିବେ । ପ୍ରଥମେ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ଗାଁଗୁଡ଼ିକୁ ସ୍ଥାନାନ୍ତର କରାଯିବ । ଏହାପରେ ମଧ୍ୟପ୍ରଦେଶରୁ ବାଘ ଆଣିବାକୁ ଯୋଜନା ରଖାଯାଇଛି । ବଫର ଏରିଆରୁ ୬ଟି ଗାଁ ଖାଲି ହୋଇଥିବା ବେଳେ ଆଉ କିଛି ଗାଁ ଖାଲି କରାଯିବ । ସର୍ତ୍ତଗୁଡିକ ସଠିକ ଭାବରେ ପାଳନ କରି ପାରିଲେ ବାଘ ବଂଶ ବୃଦ୍ଧି ହେବା ସଫଳ ହେବ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି ।