କାବୁଲ ବିସ୍ଫୋରଣକାରୀ ଆତଙ୍କୀଙ୍କ ସଂଗଠନରେ ସାମିଲ ହୋଇଛନ୍ତି ୧୪ କେରଳ ନାଗରିକ

1 min read

ନୂଆଦିଲ୍ଲୀ: ଆଫଗାନିସ୍ତାର ରାଜଧାନୀ କାବୁଲ ଏୟାରପୋର୍ଟରେ ବିସ୍ଫୋରଣ ଭିଆଇଥିବା ଆତଙ୍କବାଦୀ ସଂଗଠନ ଇସ୍‌ଲାମିକ୍ ଷ୍ଟେଟ୍ ଅଫ୍ ଖୁରାସନ୍ (ଆଇଏସ୍‌-କେ)ରେ କେରଳର ୧୪ ଲୋକ ସାମିଲ ଅଛନ୍ତି । କୁହାଯାଉଛି ଯେ, ଏମାନଙ୍କୁ ତାଲିବାନୀମାନେ ବଗରାମ ଜେଲରୁ ମୁକ୍ତ କରିଥିଲେ । ଏହା ବ୍ୟତୀତ ତୁର୍କମେନିସ୍ତାନର ଦୂତାବାସ ଉପରେ ଆକ୍ରମଣ ନେଇ ମଧ୍ୟ ଚେଷ୍ଟା କରିଥିବା ୨ ପାକିସ୍ତାନୀ ନାଗରିକ ମଧ୍ୟ ସେମାନଙ୍କ କବ୍‌ଜାରେ ଥିବା କୁହାଯାଉଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଆଫଗାନିସ୍ତାନରେ ରହୁଥିବା ୧୪ ଜଣ କେରଳ ନାଗରିକ ଆଇଏସ୍‌କେପିରେ ଯୋଗଦେଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ଘର ଲୋକଙ୍କ ସହ ଯୋଗାଯୋଗ କରିଥିଲା । ତେବେ ଅନ୍ୟ ୧୩ ଜଣଙ୍କ କୌଣସି ଖୋଜ୍ ଖବର ନାହିଁ । ୨୦୧୪ ମସିହାରେ ମୋସୁଲରେ ନିଜକୁ ଇସ୍‌ଲାମିକ୍ ଷ୍ଟେଟ୍‌ର କହୁଥିବା ଆତଙ୍କବାଦୀ ସଂଗଠନର କବ୍‌ଜା ହେବା ପରେ ମଲ୍ଲପୁରମ୍, କାସରଗୋଡ ଏବଂ କନ୍ନରୁ ଜିଲ୍ଲାରେ ଏକ ଗୋଷ୍ଠୀ ଜିହାଦିଙ୍କ ସହିତ ସାମିଲ ହୋଇ ଭାରତ ଛାଡ଼ି ପଳାଇଯାଇଥିଲେ । ଏମାନଙ୍କ ମଧ୍ୟରୁ କିଛି ଜଣଙ୍କ ପରିବାର ଆଫଗାନିସ୍ତାନର ନଙ୍ଗରହାର ପ୍ରାନ୍ତରେ ରହୁଛନ୍ତି ।

ତେବେ ଏଭଳି ଘଟଣା ଭାରତ ପାଇଁ ଚିନ୍ତାର କାରଣ । ତାଲିବାନ ଏବଂ ସେମାନଙ୍କ କଟ୍ଟରପନ୍ଥୀ ସାଥୀ କେରଳବାସୀଙ୍କୁ ବ୍ୟବହାର କରିବା ଦ୍ୱାରା ଅନ୍ତର୍ଜାତୀୟ ସ୍ତରରେ ଭାରତର ଛବି ଖରାପ ହୋଇପାରେ । ତେବେ ଏଯାବତ୍ ତାଲିବାନୀ ଏ ମାମଲାରେ ଚୁପ୍ ବସିଛନ୍ତି । ଅନ୍ୟପକ୍ଷରେ ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ୨୬ ଅଗଷ୍ଟରେ କାବୁଲ ଏୟାରପୋର୍ଟରେ ବିସ୍ଫୋରଣ ହେବା ପରେ ପାକିସ୍ତାନୀ ନାଗରିକଙ୍କ ନିକଟରୁ ଆଇଇଡି ଜବତ ହୋଇଛି । ଯାହା ଏହି ଆତଙ୍କୀ ଗୋଷ୍ଠୀ ପାକିସ୍ତାନ ନାଗରିକଙ୍କ ସମ୍ପର୍କକୁ ଦର୍ଶାଉଛି ।

ସୂଚନା ଯୋଗ୍ୟ ଯେ, କାବୁଲ ଏୟାରପୋର୍ଟରେ ହୋଇଥିବା ବୋମା ବିସ୍ଫୋରଣରେ ପ୍ରାୟ ୧୩ ଜଣ ଆମେରିକୀୟ ସୈନିକ ସମେତ ୨୦୦ରୁ ଊର୍ଦ୍ଧ ଲୋକଙ୍କ ମୃତ୍ୟୁ ଘଟିଛି ।

ଏଥିସହିତ ପଢ଼ନ୍ତୁ: କାବୁଲ ବ୍ଳାଷ୍ଟର ପ୍ରତିଶୋଧ ନେଲା ଆମେରିକା: ୪୮ ଘଣ୍ଟା ମଧ୍ୟରେ କଲା ପ୍ରତିଆକ୍ରମଣ

Leave a Reply