୧୨ ଦିନ ହେଲା IOCLରେ ୧୨ ଶହ ଶ୍ରମିକଙ୍କ ଧାରଣା

1 min read

ପାରାଦୀପ: ପାରାଦୀପ ଆଇଓସିଏଲରେ ଶ୍ରମିକ ଆନ୍ଦୋଳନ ୧୨ ଦିନରେ ପହଞ୍ଚିଛି । ପାରାଦୀପ- ହଳଦିଆ ପାଇପ ଲାଇନ ପ୍ରକଳ୍ପ ଏବଂ ରିଫାଇନାରୀ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି ୧୨ ଶହରୁ ଅଧିକ ଶ୍ରମିକ । ୮ ଦଫା ଦାବି ନେଇ ପାଇପ ଲାଇନ ଡିଭିଜନ ଓ ତୈଳ ବିଶୋଧନଗାର ଶ୍ରମିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଆନ୍ଦୋଳନକାରୀଙ୍କ ସହ କୌଣସି ଅଧିକାରୀ ଆଲୋଚନା କରିନଥିବା ସୂଚନା ମିଳିଛି । ତୁରନ୍ତ ଦାବି ପୂରଣ ନକଲେ ଶ୍ରମିକମାନଙ୍କ ବଡ଼ ଧରଣର ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ।

ଶ୍ରମିକମାନେ ଦୀର୍ଘ ୧୫ ବର୍ଷ ଧରି କାର୍ଯ୍ୟ କରୁଥିଲେ ମଧ୍ୟ ଦରମା ବୃଦ୍ଧି କରାଯାଉନାହିଁ । କ୍ୟାଣ୍ଟିନରେ ମିଳୁଥିବା ଖାଦ୍ୟରେ ଶ୍ରମିକମାନଙ୍କୁ ପାତରଅନ୍ତର କରାଯାଉଥିବା ଅଭିଯୋଗ ହୋଇଛି । ଏସବୁ ସମସ୍ୟାର ସମାଧାନ ସହ ୨୦୧୬ ମସିହାର ଚୁକ୍ତି ବାତିଲ, ଛଟେଇ ଶ୍ରମିକଙ୍କୁ ପୁନଃ ନିଯୁକ୍ତି, ପୁରୁଣା ଶ୍ରମିକଙ୍କୁ ପଦୋନ୍ନତି ଆଦି ୮ ଦଫା ଦାବି କରାଯାଇଛି । ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ଦ୍ବାରା ଶ୍ରମିକ ଓ ଆଇଓସିଏଲ କର୍ତୃପକ୍ଷଙ୍କୁ ନେଇ ହୋଇଥିବା ଆଲୋଚନାରେ ବାହାରିଥିବା ନିଷ୍କର୍ଷକୁ ଆଇଓସିଏଲ କର୍ତ୍ତୃପକ୍ଷ ଅଗ୍ରାହ୍ୟ କରିଦେଇଛନ୍ତି । ଯେପର୍ଯ୍ୟନ୍ତ ଆଇଓସିଏଲ ତରଫରୁ ଦାବି ପୂରଣ ପାଇଁ ଲିଖିତ ପ୍ରତିଶ୍ରୁତି ମିଳିନାହିଁ, ସେପର୍ଯ୍ୟନ୍ତ ଧାରଣା ଜାରି ରଖିବାକୁ ଶ୍ରମିକମାନେ ଚେତାବନୀ ଦେଇଛନ୍ତି  l