ମୁମ୍ବାଇ ପୋଲିସ କହି ୧୨ ଲକ୍ଷ ଠକେଇ, ସାଇବର ଠକ ଗିରଫ

ଭୁବନେଶ୍ବର: ପ୍ରଥମେ ଅଜଣା ନମ୍ବରରୁ କଲ । ପରେ ମୁମ୍ୱାଇ ପୋଲିସ କହି ୧୨ ଲକ୍ଷ ଠକେଇ । ଓଡିଶା ସରକାରଙ୍କ ଅଧୀନରେ କାର୍ଯ୍ୟରତ ଜଣେ ବରିଷ୍ଠ ଅଧିକାରୀ ଏଭଳି ଠକେଇର ସମ୍ମୁଖୀନ ହୋଇ ସାଇବର ଥାନାର ଦ୍ୱାରସ୍ଥ ହେବା ପରେ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ ପୋଲିସ । ଅଭିଯୁକ୍ତର ନାଁ କିଶୋର ରାଣା । ଘର ରାଜସ୍ଥାନ ।

ଅଭିଯୋଗ ମୁତାବକ ଜୁନ ୭ରେ ବରିଷ୍ଠ ଅଧିକାରୀଙ୍କୁ ଟେଲିଫୋନ କମ୍ପାନୀରୁ ଏକ କଲ ଆସିଥିଲା । ତାଙ୍କ ନମ୍ବର ବ୍ୟବହାର କରି ୨୮ଟି ବେନାମୀ ଟ୍ରାଞ୍ଜକ୍ସନ ହୋଇଥିବା କୁହାଯାଇଥିଲା । ପରେ ଆଉ ଜଣେ ମୁମ୍ବାଇ ପୋଲିସ କହି ସ୍କାଇପି ଯୋଗେ ତାଙ୍କ ସହ କଥା ହୋଇଥିଲେ । ବରିଷ୍ଠ ଅଧିକାରୀଙ୍କୁ ଡିଜିଟାଲ ଆରେଷ୍ଟ କରି ତାଙ୍କଠାରୁ ଅନଲାଇନରେ ସମସ୍ତ ଡକ୍ୟୁମେଣ୍ଟ ନେଇଯାଇଥିଲେ । ଭୟଭୀତ ହେବା ପରେ ତାଙ୍କଠାରୁ ଦୁଇଥରରେ ପାଖାପାଖି ୧୨ ଲକ୍ଷ ଟଙ୍କା ଠକି ନେଇଥିଲେ ଠକ ।

ଏନେଇ ଅଭିଯୋଗ ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି । ତା’ଠାରୁ ମୋବାଇଲ, ଏଟିଏମ, ଚେକବୁକ ଜବତ କରାଯାଇଛି । ମ୍ୟୁଲ ବା ବେନାମୀ ଆକାଉଣ୍ଟ ଜରିଆରେ ସେ ଠକେଇ ଟଙ୍କା ଉଠାଉଥିବା ନେଇ ଅଭିଯୋଗ ହେଉଛି । କେସ ନମ୍ବର ୧୪୧ ଦଫା ୪୧୯, ୪୨୦, ୪୬୭, ୪୬୮, ୪୭୧ ଓ ଆଇଟି ଆକ୍ଟରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।