୪୧ ଡିଗ୍ରୀ ଉପରେ ୧୨ ସହର, ୨ ଦିନ ଯାଏଁ ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ଜ୍ୟେଷ୍ଠରେ ବାତ୍ୟା ମାଡ଼ ପରେ ପୁଣି ଫେରିଛି ତାତି । ତତଲା କଡ଼େଇରେ ଟକଟକ୍ ହୋଇ ଭାଜି ହୋଇଛି ଟିଟିଲାଗଡ଼ । ରାଜ୍ୟର ୧୨ ସହରରେ ତାପମାତ୍ରା ୪୧ ଡିଗ୍ରୀ ଉପରେ ରେକର୍ଡ ହୋଇଛି । ତତଲାଗଡ଼ କୁହାଯାଉଥିବା ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୫.୨ ଡିଗ୍ରୀ ରେକର୍ଡ ହୋଇଛି । ଖରାର ପ୍ରଚଣ୍ଡ ଆଗାମୀ ୨ ଦିନ ଯାଏଁ ଜାରି ରହିବ । ବିଭିନ୍ନ ଜିଲ୍ଲାରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ । ଆଭ୍ୟନ୍ତରୀଣ ଓଡ଼ିଶାର କେତକ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଡେଇଁବ ବୋଲି ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆଜି ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୫.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଭବାନୀପାଟଣାରେ ୪୪.୫, ବଲାଙ୍ଗିରରେ ୪୪, ତାଳଚେର ୪୩.୧, ମାଲକାନଗିରି ୪୩, ବୌଦ୍ଧ ୪୨.୭, ହୀରାକୁଦ ୪୨.୩, ସମ୍ବଲପୁର ୪୨.୨, ସୋନପୁର ୪୧.୮, ଝାରସୁଗୁଡ଼ା ୪୨.୨, ପାରଳାଖେମୁଣ୍ଡି ଓ ଫୁଲବାଣୀରେ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୫.୪ ଡିଗ୍ରୀ ଥିବାବେଳେ କଟକରେ ୩୫.୫ ଡିଗ୍ରୀ ରହିଛି । ଆସନ୍ତା ୨୪ରୁ ୨୬ ତାରିଖ ଯାଏଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର କେତକ ସ୍ଥାନରେ କାଳବୈଶାଖୀ ଓ ବଜ୍ରପାତ ହେବାର ସମ୍ଭାବନା ରହିଛି ।

Leave a Reply