OSRTCର ୧୧୦ ନୂଆ ବସ୍ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ଅତ୍ୟାଧୁନିକ ସୁବିଧା ପାଇବେ ଯାତ୍ରୀ
1 min readଭୁବନେଶ୍ୱର: ଗଡ଼ିଲା OSRTCର ୧୧୦ଟି ନୂଆ ବସ୍ । ଏଥର ଅତ୍ୟାଧୁନିକ ବସରେ ବସି ଯାତ୍ରା କରିବେ ଯାତ୍ରୀ । ଏହି ଅତ୍ୟାଧୁନିକ ନୂଆ ବସକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ୧୧୦ଟି ନୂତନ ଯାତ୍ରୀବାହୀ ବସ୍ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ନୂଆ ବସ ପ୍ରଦୂଷଣ ରହିତ ରହିଛି, ଏଥି ସହିତ ବିଏସ୍-୬ ଶ୍ରେଣୀର ମଧ୍ୟ । ନୂତନ ବସରେ ରୁଟ୍ ଟ୍ରାକିଂ ବ୍ୟବସ୍ଥା ରହିଛି ।
OSRTC ଦ୍ୱାରା ଏହି ବସ ବ୍ୟବସ୍ଥା କରାଯାଇଥିଲାବେଳେ ଯାତ୍ରୀଙ୍କ ସୁବିଧା ନିମନ୍ତେ ବସ୍ ଟ୍ରାକିଂ ସିଷ୍ଟମ ରହିଛି । ବସରେ ରହିଛି ଜରୁରିକାଳୀନ ସୁରକ୍ଷା ବଟନ ବ୍ୟବସ୍ଥା । ସେହିପରି ଯାତ୍ରୀଙ୍କ ପାଇଁ ରହିଛି ଆରାମ ଦାୟକ ସିଟ୍ । ଅନ୍ୟପଟେ ପଟିଆରେ ମୋ ବସର ନୂତନ ଡିପୋ ମଧ୍ୟ କରାଯାଇଛି । ଏହି ଡିପୋରେ ସମସ୍ତ ସୁବିଧା ଉପଲବ୍ଧ ରହିଥିବାବେଳେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି ।
ଆଜି ୧୧୦ଟି ନୂଆ ଅତ୍ୟାଧୁନିକ ବସ ଲୋକାର୍ପଣ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୭୦ଟି ବସ ମଧ୍ୟ ଲୋକାର୍ପଣ କରାଯିବ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ । ଭୁବନେଶ୍ୱରରେ ଦୁଇଟି ମୋ ବସ୍ ଡିପୋର ଲୋକାର୍ପଣ ହୋଇଛି । ଭଗବାନପୁର ଓ ପଟିଆରେ ମୋ ବସ୍ ଡିପୋର ଉଦ୍ଘାଟନ ହେଉଛି ।