ବିହାର ବିଧାନସଭାରୁ ଆସିଲା ୧୦୦ ବର୍ଷର ନଥି, ତାମିଲନାଡୁରୁ ବି ଆସିବ

ଭୁବନେଶ୍ବର: ଦୀର୍ଘ ୧୦୦ ବର୍ଷ ପରେ ବିହାର ବିଧାନସଭାରୁ ଆସିଛି ପୁରୁଣା ନଥି  । ଗୁରୁତ୍ବପୂର୍ଣ୍ଣ ସଂଗ୍ରହଣରୁ ଅନେକ ଅନାଲୋଚିତ ପ୍ରସଙ୍ଗ ମିଳିବ  । ସେସବୁ ନିଶ୍ଚିତ ରୂପେ ଗବେଷକ ତଥା ଭବିଷ୍ୟତ ପିଢିକୁ ଦିଗଦର୍ଶନ ଦେବ ବୋଲି କହିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ  । ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାସଙ୍କ ଉଦ୍ୟମ ଯୋଗୁଁ ବିହାରରୁ ନଥିପତ୍ର ଆସି ଓଡିଶାରେ ପହଞ୍ଚିଛି  ।

୧୯୭୯ରେ ବିଧାନସଭା ଗ୍ରନ୍ଥାଗାରରେ କିଛି ତଥ୍ୟ ଖୋଜି ନ ପାଇବା ପରେ ନଥିପତ୍ର ସଂଗ୍ରହ କରିବାକୁ ପୂର୍ବତନ ବାଚସ୍ପତି ଶରତ କରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଶ୍ରୀରାମ ଦାସ  । ତତ୍କାଳୀନ ସଚିବ ଜଗଦୀଶ ପ୍ରସାଦ ଦାଶ ଏଥିପାଇଁ ରବି ନାରାୟଣ ମିଶ୍ରଙ୍କୁ ପାଟନା ପଠାଇ ମଧ୍ୟ କିଛି ସୁଫଳ ପାଇ ନଥିଲେ  । ଏହାପରେ ୨୦୨୧ରେ ପୁନଶ୍ଚ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭା ସଚିବ ଦାଶରଥୀ ଶତପଥୀ ଓ ଯୁଗ୍ମ ନିର୍ଦ୍ଦେଶକ ଶିବ ପ୍ରସାଦ ପଟ୍ଟନାୟକଙ୍କୁ ଏହି ଦାୟିତ୍ବ ଦେଇଥିଲେ  । ଏହାପରେ ବିହାର ବିଧାନସଭା ସହ ଯୋଗାଯୋଗ ଆରମ୍ଭ ହୋଇଥିଲା  ।

ଗବେଷଣା ଅଧିକାରୀ ଜୟକୃଷ୍ଣ ପ୍ରଧାନ ଓ ସ୍ବତନ୍ତ୍ର କାର୍ଯ୍ୟକାରୀ ଅଧିକାରୀ ପାଟନାରେ ରହି ବିହାର ବିଧାନସଭା ପରିଷଦରେ ଉପଲବ୍ଧ ବିବରଣୀ ସହ ବିଭିନ୍ନ ତଥ୍ୟ ସଂଗ୍ରହ କରି ଓଡିଶା ଫେରିଛନ୍ତି  ।

୧୯୨୨ ମସିହାରେ ବିହାର ଓଡିଶା ବ୍ୟବସ୍ଥାପକ ସଭାରେ ଉତ୍କଳଗୌରବ ମଧୂସୂଦନ ଦାସ ଓ ପରବର୍ତ୍ତୀ ସମୟରେ ଉତ୍କଳମଣି ଗୋପବନ୍ଧୁ, ବାଗ୍ମୀ ବିଶ୍ବନାଥ କର, ପଣ୍ଚିତ ନୀଳକଣ୍ଠ ଓ ପଣ୍ଡିତ ଗୋଦାବରୀଶ ପ୍ରମୁଖ ନେତୃବୃନ୍ଦଙ୍କ ଉପସ୍ଥାପିତ ତର୍କ ବିବରଣୀ ଓଡିଶା ବିଧାନସଭାକୁ ଆସିଛି ।

ସେପଟେ ତତ୍କାଳୀନ ମାଡ୍ରାସ ପ୍ରେସିଡେନ୍ସିରେ ସ୍ବର୍ଗତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ସମେତ ଅନ୍ୟ ନେତୃବୃନ୍ଦଙ୍କ ଦ୍ବାରା ଉପସ୍ଥାପିତ ଓଡିଶା ସମ୍ପର୍କିତ ତଥ୍ୟ ସଂଗ୍ରହ ପାଇଁ ତାମିଲନାଡୁ ବିଧାନସଭା ସହ ମଧ୍ୟ ଓଡିଶା ଯୋଗାଯୋଗ କରିଛି  । ଯାହା ଫଳରେ ତାମିଲନାଡୁରୁ ବିଭିନ୍ନ ତଥ୍ୟ ଓଡିଶା ବିଧାନସଭାକୁ ଆସିବା ସମ୍ଭାବନା ଉଜ୍ଜ୍ବଳ ହୋଇଛି  ।