ନ୍ୟୁୟର୍କରେ ୧୮ ବର୍ଷ ଯୁବକଙ୍କ ଆତଙ୍କରାଜ୍, ସୁପର ମାର୍କେଟରେ ଆଖିବୁଜା ଗୁଳିମାଡ଼ରେ ୧୦ ମୃତ୍ୟୁ

ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କ ସୁପରମାର୍କେଟରେ ଗୁଳିକାଣ୍ଡ । ୧୮ ବର୍ଷୀୟ ଯୁବକଙ୍କ ଅମାନୁଷିକ କାର୍ଯ୍ୟ । ଗୁଳିକାଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ରୁ ଅଧିକ ଗୁରୁତର ହୋଇଛନ୍ତି । ନ୍ୟୁୟର୍କ ବଫୋଲୋସ୍ଥିତ ଏକ ଗ୍ରୋସରୀ ଷ୍ଟୋରରେ ପଶି ଆଖିବୁଜା ଗୁଳିମାଡ଼ କରିଥିବା ଯୁବକଙ୍କୁ ବଫାଲୋ ପୋଲିସ ଗିରଫ କରିଛି । ବର୍ଣ୍ଣଗତ ବିଦ୍ବେଷ ରଖି ଯୁବକ ଜଣକ ଏହି ଅମାନୁଷିକ କାଣ୍ଡ ଘଟାଇଥିବା ଜଣାପଡିଛି । ତେବେ ଏହି ଗୁଳିକାଣ୍ଡରେ ପ୍ରାଣ ହରାଇଥିବାଙ୍କ ମଧ୍ୟରେ ରହିଛନ୍ତି ଅଧିକାଂଶ କୃଷ୍ଣକାୟ । ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି ।

ଗିରଫ କରିବା ସମୟରେ ଦୁର୍ବୃତ୍ତ ଜଣକ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା । ଏହି ଅପରାଧ ଘଟାଇବା ଲାଗି ଯୁବକ ଜଣକ ବହୁ ଦୂରରୁ ଆସି ସୁଯୋଗ ଖୋଜୁଥିଲା ବୋଲି ବଫାଲୋ ମେୟର କହିଛନ୍ତି । ଗଣହତ୍ୟା ବେଳେ ଏହାର ଲାଇଭ କରିବାକୁ ମଧ୍ୟ ଯୁବକ ଚେଷ୍ଟା କରିଥିବା ପୋଲିସ କହିଛି । ଏହି ଘଟଣାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶୋକବ୍ୟକ୍ତ କରିବା ସହ ଘଟଣାର ସମୀକ୍ଷା କରିଛନ୍ତି । ଗତମାସରେ ଓ୍ବାଶିଂଟନରେ ଜଣେ ଦୁର୍ବୃତ୍ତ ଗୁଳିକାଣ୍ଡ ଘଟାଇ 4 ଜଣଙ୍କୁ ଆହତ କରିବା ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲା ।