ହାଥରସ ଦଳାଚକଟା ଘଟଣା: ତଦନ୍ତ ପାଇଁ ତିନି ଜଣିଆ ନ୍ଯାୟିକ କମିଶନ ଗଠନ

ନନ୍ଦିଘୋଷ ବ୍ୟୁରୋ: ହାଥରସ ଦଳାଚକଟା ଘଟଣାର ତଦନ୍ତ ପାଇଁ ତିନି ଜଣିଆ ନ୍ଯାୟିକ କମିଶନ ଗଠନ ହୋଇଛି । ଉତ୍ତରପ୍ରଦେଶ ରାଜ୍ଯପାଳ ଆନନ୍ଦୀବେନ ପଟେଲଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ଯ ସରକାର ତିନି ଜଣିଆ ତଦନ୍ତ କମିଶନ ଗଠନ କରିଛନ୍ତି । କମିଶନରେ ଆହ୍ଲାବାଦ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବ୍ରିଜେଶ କୁମାର ଶ୍ରୀବାସ୍ତବ ନେତୃତ୍ବ ନେବେ । ଅନ୍ଯ ଦୁଇ ସଦସ୍ଯ ହେଉଛନ୍ତି ଅବସରପ୍ରାପ୍ତ ଆଇଏଏସ ହେମନ୍ତ ରାଓ ଓ ଭବେଶ କୁମାର । ଘଟଣାର ତଦନ୍ତ କରି ୨ ମାସ ଭିତରେ କମିଶନ ରିପୋର୍ଟ ଦାଖଲ କରିବେ ବୋଲି କୁହାଯାଇଛି । ଏବେ ପ୍ରଶ୍ନ ଉଠୁଛି କିପରି ଘଟିଲା ଏତେ ବଡ଼ ଘଟଣା? ପୋଲିସ ଓ ପ୍ରଶାସନ କରୁଥିଲା କ’ଣ? ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାବେଳେ କାହିଁକି ନଗଣ୍ଯ ପୋଲିସଙ୍କୁ ମୁତୟନ କରାଯାଇଥିଲା?

ଅନ୍ୟପଟେ ହାଥରସ ଅଘଟଣକୁ ନେଇ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଛି। ଦଳାଚକଟା ପରେ ଏବେ ଫେରାର ହୋଇଯାଇଛନ୍ତି ସୂରଜ ପାଲ ଓରଫ ଭୋଲେ ବାବା । ବାବାଙ୍କ ସମ୍ପର୍କରେ ପୋଲିସ ଟେର୍ ମଧ୍ଯ ପାଉନି । ଏପଟେ ରଙ୍ଗିଲା ବାବାଙ୍କ ଗୁମର ଖୋଲିବାରେ ଲାଗିଛି । ତାଙ୍କ ବିରୋଧରେ ଆଗ୍ରା, ଇଟାୱା, କସରଗଞ୍ଜ, ଫାରୁକାବାଦ, ରାଜସ୍ଥାନରେ ଯୌନ କେଳେଙ୍କାରୀ ସମେତ ଅନେକ ଅଭିଯୋଗ ରହିଛି। କୋଭିଡ ବେଳେ ବି ବାବାଙ୍କ ସତସଙ୍ଗ ନିୟମ ଉଲ୍ଲଂଘନ କରିଥିଲେ । ହାଥରସ ଫୁଲରଇ ଗାଁରେ ହୋଇଥିବା ସତସଙ୍ଗ ସ୍ଥଳରେ ୮୦ ହଜାର ଲୋକଙ୍କ ସମାଗମ ପାଇଁ ଅନୁମତି ମିଳିଥିଲା । ହେଲେ ପ୍ରାୟ ଅଢେଇ ଲକ୍ଷ ଲୋକଙ୍କ ସମାଗମ ହୋଇଥିଲା । କିନ୍ତୁ ମାତ୍ର ୨୦ ହଜାର ଲୋକଙ୍କ ପାଇଁ ଟେଣ୍ଟ ବ୍ଯବସ୍ଥା କରାଯାଇଥିଲା । ଅନେକ ଲୋକଙ୍କର ଶ୍ବାସରୁଦ୍ଧ ହୋଇ ମୃତ୍ଯୁ ହୋଇଥିବା ବ୍ଯବଚ୍ଛେଦ ରିପୋର୍ଟରେ ପ୍ରକାଶ ପାଇଛି । ଘଟଣାରେ ୧୭ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ଏତଲାରେ ବାବାଙ୍କ ନାଁ ନାହିଁ । ମଙ୍ଗଳବାର ହାଥରସରେ ହୋଇଥିବା ଦଳାଚକଟାରେ ୧୨୧ ଜଣଙ୍କର ମୃତ୍ଯୁ ହୋଇଛି ।