spot_img

Latest Posts

ହର୍ମୁଜ୍‌ରେ ପୁଣି ଆତଙ୍କ; ତେଲ ଟ୍ୟାଙ୍କର୍‌ରେ ବିସ୍ଫୋରଣ, ସୁରକ୍ଷିତ ୨୯ ଭାରତୀୟ

ନନ୍ଦିଘୋଷ ବ୍ୟୁରୋ:  ହର୍ମୁଜ୍ ପ୍ରଣାଳୀରେ ତେଲ ଟ୍ୟାଙ୍କର୍ ଉପରେ ଆକ୍ରମଣ । ତେବେ ଏହି ଆକ୍ରମଣରେ ଥିବା ୨୯ ଜଣ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି । ଆମେରିକା-ଇରାନ ଯୁଦ୍ଧ ପରେ ଏହି ସାମୁଦ୍ରିକ ମାର୍ଗରେ ଜାହାଜଗୁଡ଼ିକର ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଥିବାବେଳେ ପୁଣି ଦୁଇଟି ତେଲ ଟ୍ୟାଙ୍କର୍ ଉପରେ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, ପାନାମା ପତାକା ବହନ କରୁଥିବା ତେଲ ଟ୍ୟାଙ୍କର୍ MT LOUIS 1 ଉପରେ ଅକ୍ଟୋବର ୩୦ ତାରିଖରେ ଲିମ୍ପେଟ୍ ମାଇନ୍ ବା ଚୁମ୍ବକୀୟ ବୋମା ଆକ୍ରମଣ ହୋଇଥିଲା । ଏହି ବିସ୍ଫୋରଣ ଯୋଗୁଁ ଜାହାଜର ଇଞ୍ଜିନ୍ ରୁମ୍‌ରେ ନିଆଁ ଲାଗିଯାଇଥିଲା । ତେବେ ଜାହାଜରେ ଥିବା ସମସ୍ତ ୨୭ ଜଣ ଭାରତୀୟ ନାବିକ ସୁରକ୍ଷିତ ଥିବା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ ।

ଏକ ଛୋଟ ଡଙ୍ଗାରେ ଆସିଥିବା କିଛି ଦୁର୍ବୃତ୍ତ ଟ୍ୟାଙ୍କର୍ ନିକଟରେ ପହଞ୍ଚି ଜାହାଜର ବାହ୍ୟ ଭାଗରେ ଦୁଇଟି ଲିମ୍ପେଟ୍ ମାଇନ୍ ଲଗାଇ ଚାଲିଯାଇଥିଲେ । ପରେ ଏହାର ବିସ୍ଫୋରଣ ଯୋଗୁଁ ଇଞ୍ଜିନ୍ ରୁମ୍‌ରେ ନିଆଁ ଲାଗିଥିଲା । ତେବେ ଜାହାଜ କର୍ମଚାରୀମାନେ ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ । ଏହି ଘଟଣାରେ କେହି ଆହତ ହୋଇନଥିବାବେଳେ ସମୁଦ୍ରରେ ତେଲ ଲିକ୍ ହୋଇଥିବା ମଧ୍ୟ କୌଣସି ରିପୋର୍ଟ ମିଳିନାହିଁ । ନିଆଁ ଲିଭିବା ପରେ ଟ୍ୟାଙ୍କର୍ ପୁଣି ଯାତ୍ରା ଆରମ୍ଭ କରିଥିଲା ।

ସେହିପରି ଅକ୍ଟୋବର ୨୯ ତାରିଖରେ ଲାଇବେରିଆ ପତାକା ବହନ କରୁଥିବା ଅନ୍ୟ ଏକ ତେଲ ଟ୍ୟାଙ୍କର୍ MT ARZANAH ଉପରେ ମଧ୍ୟ ପ୍ରୋଜେକ୍ଟାଇଲ୍ ଆକ୍ରମଣ ହୋଇଥିଲା । ଏହି ଜାହାଜରେ ଦୁଇଜଣ ଭାରତୀୟ ନାଗରିକ ଥିଲେ । ଉଭୟ ଜାହାଜରେ ମୋଟ ୨୯ ଜଣ ଭାରତୀୟ ନାବିକ ରହିଥିବାବେଳେ ସମସ୍ତେ ସୁରକ୍ଷିତ ଅଛନ୍ତି ।

ସୋସିଆଲ୍ ମିଡିଆ ପ୍ଲାଟଫର୍ମ Xରେ ପୋଷ୍ଟ କରି କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ କହିଛନ୍ତି ଯେ, କେନ୍ଦ୍ର ସରକାର ସମଗ୍ର ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି । ଭାରତୀୟ ନାବିକଙ୍କ ସୁରକ୍ଷା ଓ କଲ୍ୟାଣକୁ ଗୁରୁତ୍ୱ ଦେଇ ଜାହାଜ ପରିଚାଳନା କମ୍ପାନୀଗୁଡ଼ିକ ସହ ନିୟମିତ ଯୋଗାଯୋଗ ରଖାଯାଉଛି । ବ୍ରିଟିଶ ନୌସେନା ସହ ଜଡ଼ିତ ସାମୁଦ୍ରିକ ସୁରକ୍ଷା ସଂସ୍ଥା UKMTO ଅନୁଯାୟୀ, ଏହି ଆକ୍ରମଣ ଓମାନର ଖାସାବଠାରୁ ପ୍ରାୟ ୨୫ ନଟିକାଲ୍ ମାଇଲ୍ ବା ୪୬ କିଲୋମିଟର ଉତ୍ତର-ପୂର୍ବରେ ଘଟିଥିଲା । ତେବେ ଏହି ଆକ୍ରମଣ ପଛରେ କେଉଁ ଗୋଷ୍ଠୀ କିମ୍ବା ଦେଶର ହାତ ରହିଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ଲଗାତାର ଆକ୍ରମଣ ଘଟଣା ଯୋଗୁଁ ହର୍ମୁଜ୍ ପ୍ରଣାଳୀରେ ସାମୁଦ୍ରିକ ବାଣିଜ୍ୟ ଓ ଅନ୍ତର୍ଜାତୀୟ ତୈଳ ପରିବହନର ସୁରକ୍ଷାକୁ ନେଇ StraitOfHormuzଚିନ୍ତା ସୃଷ୍ଟି ହୋଇଛି ।

Latest Posts

Don't Miss