ସୋସିଆଲ ମିଡ଼ିଆରେ ଆଉ ଚାଲିବନି ଅଶ୍ଲୀଳ କଣ୍ଟେଣ୍ଟ! କଠୋର ନିୟମ ଲାଗୁ କରିବେ କେନ୍ଦ୍ର ସରକାର

1 min read

ନିକଟରେ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କ ମାମଲାରେ ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ ଦେଇଥିଲେ । ଏହା ମଧ୍ୟରେ କେନ୍ଦ୍ର ସରକାର ସୋସିଆଲ ମିଡ଼ିଆକୁ ନେଇ ଏକ ବଡ଼ ପଦେକ୍ଷପ ନେବାକୁ ଯାଉଛନ୍ତି । ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସରଙ୍କ ପାଇଁ କୋଡ ଅଫ୍ କଣ୍ଡକ୍ଟ ଆଣିବାକୁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି କୋଡର ପାଳନ ୫ରୁ ୫ ଲକ୍ଷ ଫଲୋଅର୍ସ ଥିବା ଇନଫ୍ଲୁଏନ୍ସରଙ୍କ ପାଇଁ ଲାଗୁ ହେବ । ଭବିଷ୍ୟତରେ ଇଣ୍ଡିଆଜ ଗଟ ଟ୍ୟାଲେଣ୍ଟ ପରି ଶୋ’ ଦେଶବାସୀଙ୍କ ଭାବନାକୁ ଯେପରି କ୍ଷତି ପହଞ୍ଚାଇ ନ ପାରିବ, ତା’ ଉପରେ ଧ୍ୟାନ ଦିଆଯିବ । ଏଥିସହିତ ଇନଫ୍ଲଏନ୍ସର୍ସଙ୍କୁ କଣ୍ଟେଣ୍ଟ ପାଇଁ ରେଟିଂ ମଧ୍ୟ ଦେବା ବାଧ୍ୟତାମୂଳକ କରାଯିବ । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଓ ଓଟିଟି କଣ୍ଟେଣ୍ଟକୁ ନେଇ ସରକାର ବିଭିନ୍ନ ସ୍ତରରେ ପଦକ୍ଷେପ ଗ୍ରହଣ କରୁଛନ୍ତି । ଛୋଟ ପିଲାଙ୍କୁ ଅଶ୍ଲୀଳ-ଅଭଦ୍ର କଣ୍ଟେଣ୍ଟ ଠାରୁ ଦୂରେଇ ରଖିବା ପାଇଁ ନିୟମ ଅଣାଯିବ । ଓଟିଟି ପ୍ଲାଟଫର୍ମ ପାଇଁ ଆଡଭାଇଜରି ଓ ଡିଜିଟାଲ ଇଣ୍ଡିଆର ବିଧେୟକ ପ୍ରସ୍ତୁତି ଉପରେ କାମ ଚାଲିଛି ।

ଇଣ୍ଡିଆଜ ଗଟ ଟ୍ୟାଲେଣ୍ଟ ବିବାଦକୁ ନେଇ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି । ଏଭଳି ଖରାପ କଣ୍ଟେଣ୍ଟ ଉପରେ ରୋକ ଲଗାଇବା ପାଇଁ କେନ୍ଦ୍ର ସରକାର କ’ଣ ପଦେକ୍ଷପ ଗ୍ରହଣ କରିଛନ୍ତି ତାହା ମଧ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ କୋର୍ଟ । ପରବର୍ତ୍ତୀ ଶୁଣାଣିରେ ସରକାର ଏହି ତଥ୍ୟ ଦାଖଲ କରିବାକୁ କୋର୍ଟ କହିଛନ୍ତି । ସୋସିଆଲ ମିଡ଼ିଆ କଣ୍ଟେଣ୍ଟରୁ ଅଶ୍ଲୀଳତା, ଅଭଦ୍ରତା ଓ ଗାଳିଗୁଳଜକୁ ଦୂର କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । କଣ୍ଟେଣ୍ଟକୁ ରେଟିଂ ଦେଇ ଶେୟାର କରାଯାଉଥିବା ପୋଷ୍ଟ କେଉଁ ସ୍ତରର ବୋଲି ସ୍ପଷ୍ଟ କରିବାକୁ ପଡ଼ିବ । କୋଡ ଅଫ୍ କଣ୍ଡକ୍ଟରେ ରେଟିଂ ଏକରୁ ପାଞ୍ଚ ପର୍ଯ୍ୟନ୍ତ ରଖାଯାଇପାରେ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର୍ସଙ୍କ ପାଇଁ କୋଡ ଅଫ୍ କଣ୍ଡକ୍ଟ ଜାରି କରିବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି ।

ନଜର ପକାନ୍ତୁ