ସାବର୍ଜନିକ ସ୍ଥାନରେ ବୁର୍ଖା ପିନ୍ଧି ପାରିବେନି ମହିଳା, ରୋକ ଲଗାଇଲା ଏହି ଦେଶ

ଅସ୍ତାନା: କାଜାକିସ୍ତାନରେ ମହିଳାମାନେ ସାର୍ବଜନିକ ସ୍ଥାନରେ ବୁର୍ଖା ବା ଚେହେରାକୁ ଢାଙ୍କି ରଖୁଥିବା କପଡ଼ା ପରିଧାନ କରିପାରିବେ ନାହିଁ । ଦେଶର ରାଷ୍ଟ୍ରପତି କାସିମ ଜୋମାର୍ଟ ଟୋକାୟେବ ଏହି ଆଇନ ଉପରେ ହସ୍ତାକ୍ଷର କରିଛନ୍ତି । ସାର୍ବଜନିକ ସ୍ଥାନରେ କେହି ନିଜର ଚେହେରାକୁ ଢାଙ୍କିବା ଉପରେ ଏହି ଆଇନ ରୋକ ଲଗାଇଥାଏ । ସୋଭିଏତ ସଂଘର ଅଂଶ ରହିଥିବା କାଜାକିସ୍ତାନର ସରକାର ଏହି ଆଦେଶ ଜାରି କରିଛନ୍ତି । ଦେଶର ୭୦ ପ୍ରତିଶତ ଜନସଂଖ୍ୟା ଇସଲାମ ଧର୍ମକୁ ମାନିଥାନ୍ତି । ସାରା ଦୁନିଆରେ ଅଧିକାଂଶ ମୁସଲିମ ମହିଳା ହିଜାବ (ଚେହେରା ଢାଙ୍କିବା) ପିନ୍ଧିଥାନ୍ତି । ତେବେ କାଜାକିସ୍ତାନ ସରକାରଙ୍କ ଏହି ନିଷ୍ପତ୍ତିକୁ ଦେଶର ଧାର୍ମିକ ସଂଗଠନ ପକ୍ଷରୁ ବିରୋଧ କରାଯାଇପାରେ । ତେବେ ଆଇନରେ ସିଧାସଳଖ ଭାବେ କୌଣସି ଧର୍ମ ବା ଧାର୍ମିକ ପୋଷାକକୁ ନେଇ ଚର୍ଚ୍ଚା କରାଯାଇ ନାହିଁ ।
ମଧ୍ୟ ଏସୀୟ ଦେଶଗୁଡ଼ିକରେ ବିଗତ କିଛି ସମୟ ଧରି ବୁର୍ଖା ଓ ନକାବ ପରି ପରିଧାନ ଉପରେ କଟକଣା ଲାଗି ଆସିଛି । ଏବେ କାଜାକିସ୍ତାନ ଏହି ଲିଷ୍ଟରେ ସାମିଲ ହୋଇଯାଇଛି । କାଜାକିସ୍ତାନର ଏହି ନୂଆ ଆଇନ କହୁଛି ଯେ, ଯେଉଁ କପଡ଼ା ଦ୍ବାରା ଚେହେରାକୁ ଚିହ୍ନି ହେବନି, ତାହାକୁ ପିନ୍ଧିବାକୁ ଅନୁମତି ନାହିଁ । ମାତ୍ର କିଛି ମାମଲାରେ ଏହି ଆଇନରେ ଛାଡ଼ ଦିଆଯିବ । ମେଡିକାଲ କାରଣ, ଖରାପ ପାଣିପାଗ, ଖେଳ ବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଏପରି କପଡ଼ା ପିନ୍ଧିବାକୁ ଅନୁମତି ଦିଆଯିବ ।