ଶାନଦାର ଓ ନିଃସ୍ବାର୍ଥ କ୍ରିକେଟ ପାଇଁ ରୋହିତଙ୍କୁ ପ୍ରଶଂସା କଲେ ପାକିସ୍ତାନର ଦୁଇ ପୂର୍ବତନ କ୍ରିକେଟର ଆକ୍ରମ ଓ ହାଫିଜ
1 min read
ଫେବୃଆରୀ ୨୩ରେ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି ମହାମୁକାବିଲା । ଏହା ମଧ୍ୟରେ ଭାରତୀୟ ଅଧିନାୟକ ତଥା ହିଟମ୍ୟାନ ରୋହିତ ଶର୍ମାଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଚାମ୍ପିୟନ୍ସ ଟ୍ରଫିର ମେଗା ଫାଇଟ ପୂର୍ବରୁ ରୋହିତଙ୍କ ପ୍ରଶଂସାରେ ଶତମୁଖ ହୋଇଉଠିଛନ୍ତି ପାକିସ୍ତାନର ଦୁଇ ପୂର୍ବତନ କ୍ରିକେଟର । ମହାନ କ୍ରିକେଟର ଓ୍ବାସିମ ଆକ୍ରମ ଓ ମହମ୍ମଦ ହାଫିଜ ରୋହିତଙ୍କୁ ବେଶ ପ୍ରଶଂସା କରିଛନ୍ତି । ବାଂଲାଦେଶ ବିପକ୍ଷ ମ୍ୟାଚରେ ରୋହିତ ଶର୍ମା ୩୬ଟି ବଲରୁ ୪୧ ରନ ସଂଗ୍ରହ କରିଥିଲେ । ଚାମ୍ପିୟନ୍ସ ଟ୍ରଫିର ଓପନିଂ ମ୍ୟାଚରେ ରୋହିତଙ୍କ ଏହି ଗୁରୁତ୍ବପୂର୍ଣ୍ଣ ପାଳି ଦଳକୁ ବିଜୟୀ କରାଇବାରେ ସହାୟକ ହୋଇଥିଲା । ଉକ୍ତ ମ୍ୟାଚରେ ଭାରତ ୬ ଓ୍ବିକେଟରେ ବିଜୟୀ ହୋଇଥିଲା । ଆକ୍ରମ ରୋହିତଙ୍କୁ ଶାନଦାର କ୍ରିକେଟ ପାଇଁ ପ୍ରଶଂସା କରିଥିବା ବେଳେ ହାଫିଜ ଭାରତୀୟ ଅଧିନାୟକଙ୍କ ଡ୍ରେସିଂ ରୁମର ନିଃସ୍ବାର୍ଥ କ୍ରିକେଟକୁ ପ୍ରଶଂସା କରିଥିଲେ ।
ରୋହିତ ଦିନିକିଆରେ ଡବଲ ସେଞ୍ଚୁରୀ ହାସଲ କରିଛନ୍ତି । ରୋହିତ ଜଣେ ସ୍ବତନ୍ତ୍ର ଖେଳାଳି । ୨୦୦୮ରେ ସେ ରୋହିତଙ୍କୁ ପ୍ରଥମ ଥର ପାଇଁ ଦେଖିଥିଲେ । ୨୦୦୮ରେ ଅଷ୍ଟ୍ରେଲିଆରେ ତ୍ରିରାଷ୍ଟ୍ରୀୟ ସିରିଜ ସମୟରେ ଆକ୍ରମ କମେଣ୍ଟାରୀ କରୁଥିଲେ । ଏହି ଯୁବ କ୍ରିକେଟଙ୍କ ପାଖେ ନିଶ୍ଚିତ ଭାବେ କିଛି ବଡ଼ ପ୍ରତିଭା ରହିଛି ବୋଲି ସେହି ସମୟରେ ସେ ଅନୁମାନ କରିପାରିଥିଲେ ବୋଲି କହିଛନ୍ତି ବିଶ୍ବର ଅନ୍ୟତମ କିମ୍ବଦନ୍ତୀ ବୋଲର ଆକ୍ରମ । ଉକ୍ତ ମ୍ୟାଚରେ ରୋହିତ ୭୦ ରନ୍ ସଂଗ୍ରହ କରିଥିଲେ । ସେହିପରି ଜଣେ ଅଧିନାୟକ ଭାବେ ଟିମ୍ ଇଣ୍ଡିଆର ନେତୃତ୍ବ ନେଉଥିବା ରୋହିତଙ୍କୁ ପ୍ରଶଂସା କରିଛନ୍ତି ପାକିସ୍ତାନର ଅନ୍ୟତମ ପୂର୍ବତନ କ୍ରିକେଟର ହାଫିଜ । ରୋହିତ ବ୍ୟକ୍ତିଗତ ରେକର୍ଡ ଅପେକ୍ଷା ଦଳୀୟ ପ୍ରଦର୍ଶନକୁ ଗୁରୁତ୍ବ ଦେଇଥାନ୍ତି ବୋଲି ହାଫିଜ କହିଛନ୍ତି ।