ମଙ୍ଗଳବାରରେ ଘଟିଲା ବଡ଼ ‘ଅମଙ୍ଗଳ’! ୫ ଘଣ୍ଟାରେ ଶେୟାର ବଜାରରେ ନିବେଶକଙ୍କର ୧୦ ଲକ୍ଷ କୋଟି ବୁଡ଼ିଗଲା

1 min read

ଶେୟାର ବଜାରର ଆଜି ଏକ ବଡ଼ଧରଣର ହଲଚଲ ଦେଖିବାକୁ ମିଳିଛି । ମଙ୍ଗଳବାର ନିବେଶକଙ୍କ ପାଇଁ ଅମଙ୍ଗଳ ସାଜିଛି । ୫ ଘଣ୍ଟାରେ ନିବେଶକଙ୍କର ୧୦ ଲକ୍ଷ କୋଟି ଟଙ୍କା ବୁଡ଼ିଯାଇଛି । ଗ୍ଲୋବାଲ ବଜାର ଓ ଆମେରିକାର ଟାରିଫ ଘୋଷଣା ଫଳରେ ନିବେଶକଙ୍କ ମଧ୍ୟରେ ହଲଚଲ ମଚିଯାଇଛି । ବିଦେଶୀ ନିବେଶକମାନେ ନିରନ୍ତର ଭାବେ ଅର୍ଥ ଉଠାଣ ଓ ଆମେରିକାର ଟ୍ରେଡ ଓ୍ବାର ଆଶଙ୍କା ମଧ୍ୟରେ ଆଜିର କାରବାରରେ ସେନସେକ୍ସ ଓ ନିଫ୍ଟୀରେ ବହୁ କ୍ଷତି ପରିଲକ୍ଷିତ ହୋଇଛି । କାରବାର ସପ୍ତାହରେ କ୍ରମାଗତ ଦ୍ବିତୀୟ ଦିନ ଅମଙ୍ଗଳ ସାବ୍ୟସ୍ତ ହୋଇଛି । ରିଲାଏନ୍ସ, ଏଚଡିଏଫସି ଠାରୁ ଆରମ୍ଭ କରି ଅଦାନୀ ପରି ବଡ଼ ବଡ଼ କମ୍ପାନୀଗୁଡ଼ିକର ଷ୍ଟକ ନିମ୍ନମୁଖୀ ହୋଇଛି । ଶେୟାର ବଜାରରେ ଦେଖାଦେଇଥିବା ଏହି ମାଡ଼ରେ ୫ ଘଣ୍ଟା ମଧ୍ୟରେ ନିବେଶକଙ୍କର ୧୦ ଲକ୍ଷ କୋଟି ଡୁବି ଯାଇଛି ।

ସେନସେକ୍ସରେ ଲିଷ୍ଟେଡ ୩୦ କମ୍ପାନୀ ମଧ୍ୟରୁ ପାଓ୍ବର ଗ୍ରୀଡ, ଜୋମାଟୋ, ଟାଟା ମୋଟର୍ସ, ଅଲଟ୍ରାଟେକ ସିମେଣ୍ଟ, ବଜାଜ ଫିନସର୍ଭ, ସନ ଫାର୍ମା, କୋଟକ ମହିନ୍ଦ୍ରା ବ୍ୟାଙ୍କ ଓ ଟାଟା ଷ୍ଟିଲର ଶେୟାର ସବୁଠାରୁ ଅଧିକ କ୍ଷତି ହୋଇଛି । ଇନଫୋସିସ, ଏଚସିଏଲ ଟେକ, ମାରୁତି ଓ ଆଇଟିସିର ଶେୟାର ଲାଭରେ ରହିଛି । ଏସୀୟ ବଜାରରେ ଚୀନର ଶଂଘାଈ କମ୍ପୋଜିଟ ଓ ହଂକଂର ହ୍ୟାଙ୍ଗସେଙ୍ଗ ହ୍ରାସ ଘଟିଥିବା ବେଳେ ଦକ୍ଷିଣ କୋରିଆର କାଂସ୍ପୀ ଫାଇଦାରେ ରହିଛି । ସୋମବାର ଦିନ ଆମେରିକୀୟ ବଜାର ସକାରାତ୍ମକ ସହ ବନ୍ଦ ହୋଇଥିଲା । ଅନ୍ତରାଷ୍ଟ୍ରୀୟ ମାନକ ବ୍ରେଣ୍ଟ କ୍ରୁଡ ୦.୨୬ ପ୍ରତିଶତ ବଢ଼ି ୭୬.୦୭ ଡଲାର ପ୍ରତି ବ୍ୟାରେଲ ଦାମରେ ରହିଥିଲା । ସୋମବାର ଦିନ ବିଦେଶୀ ସଂସ୍ଥାଗତ ନିବେଶକ (FII) ଶୁଦ୍ଧ ଭାବେ ୨,୪୬୩.୭୨ କୋଟିର ଶେୟାର ବିକ୍ରି କରିଦେଇଥିଲେ । ମଙ୍ଗଳବାର କାରବାର ଆରମ୍ଭରୁ ଟଙ୍କା ୬୧ ପଇସା ବୃଦ୍ଧି ସହିତ ଆମେରିକୀୟ ଡଲାର ତୁଳନାରେ ୮୬.୮୪ ଟଙ୍କାରେ ପହଞ୍ଚି ଯାଇଥିଲା । ସୋମବାର ଦିନ ତାହା ପାଖାପାଖି ୮୮ର ସ୍ତରରେ ରହିଥିଲା ।