ଦୀପାବଳୀରେ ଝଟକା ଦେଲା SBI: ଶସ୍ତା ହେବ ନାହିଁ ବ୍ୟାଙ୍କ ଲୋନ

ଦୀପାବଳୀରେ ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ (ଏସବିଆଇ) ଝଟକା ଦେଇଛି । ଏସବିଆଇ ନିଜର ସୁଧ ହାରରେ କୌଣସି ପରିବର୍ତ୍ତନ କରିନାହିଁ । MCLR ବା ମାର୍ଜିନଲ କଷ୍ଟ ଅଫ୍ ଫଣ୍ଡ ବେସଡ ଲେଣ୍ଡିଂ ରେଟ ଓ ରେପୋ ଲିଙ୍କଡ ଲେଣ୍ଡିଂ ରେଟ (RLLR) ପରି ବାହାର ବେଞ୍ଚମାର୍କ ଦର ପୂର୍ବ ପରି ଅପରିବର୍ତ୍ତିତ ରହିଛି । ଗତ ଅକ୍ଟୋବର ୧ରେ ହୋଇଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ମୁଦ୍ର ନୀତି ସମିତି (ଏମପିସି) ବୈଠକରେ ରେପୋ ରେଟକୁ ୫.୫ ପ୍ରତିଶତରେ ସ୍ଥିର ରଖାଯାଇଥିଲା ।
ଏସବିଆଇର ନୂଆ ଏମସିଏଲଆର ଦର ଅଲଗା ଅଲଗା ଅବଧି ପାଇଁ ୭.୯ ପ୍ରତିଶତରୁ ୮.୮୫ ପ୍ରତିଶତ ମଧ୍ୟରେ ରହିଛି । ଓଭରନାଇଟ ଓ ୧ ମାସର ଦର ୭.୯ ପ୍ରତିଶତ, ୩ ମାସ ପାଇଁ ୮.୩ ପ୍ରତିଶତ, ୬ ମାସ ପାଇଁ ୮.୬୫ ପ୍ରତିଶତ, ୧ ବର୍ଷ ପାଇଁ ୮.୭୫ ପ୍ରତିଶତ, ୨ ବର୍ଷ ପାଇଁ ୮.୮ ପ୍ରତିଶତ, ୩ ବର୍ଷ ପାଇଁ ୮.୮୫ ପ୍ରତିଶତ ରହିଛି । ସେହିପରି ଗତ ଅଗଷ୍ଟ ପହିଲାରୁ ଲାଗୁ ହୋଇଥିବା ହୋମ ଲୋନ ଅନୁସାରେ, ସାମାନ୍ୟ ହୋମ ଲୋନ ଦର ୭.୫୦ରୁ ୮.୭୦ ପ୍ରତିଶତ ରହିଛି । ମ୍ୟାକ୍ସଗେନ ଓଭରଡ୍ରାଫ୍ଟ ଦର ୭.୭୫ରୁ ୮.୯୫ ପ୍ରତିଶତ, ଟପ-ଅପ ହୋମ ଲୋନ ୮.୦୦ରୁ ୧୦.୭୫ ପ୍ରତିଶତ, ଟପ-ଅପ (ଓଡି) ଲୋନ ୮.୨୫ରୁ ୯.୪୫ ପ୍ରତିଶତ ରହିଛି । ହୋମ ଲୋନ ଓ ଟପ-ଅପ ଲୋନ ଉପରେ ଏସବିଆଇର ପ୍ରୋସେସିଂ ଫିସ ଲୋନ ରାଶିର ୦.୩୫ ପ୍ରତିଶତ, ଯାହାକି ସର୍ବନିମ୍ନ ୩ ହଜାର ଟଙ୍କା ଓ ସର୍ବାଧିକ ୧୨ ହଜାର ଟଙ୍କା (ଅତିରିକ୍ତ ଜିଏସଟି) ।