ଦାଉ ସାଧିଲା ଲଗାଣ ବର୍ଷା: ଉଜାଡିଦେଲା ସୁନାର ଫସଲ, ଚିନ୍ତାରେ ଚଷା ପୁଅ

ଦାଉ ସାଧିଲା ଲଗାଣ ବର୍ଷା । ଉଜାଡିଦେଲା ସୁନାର ଫସଲ । ଚିନ୍ତାରେ ଚଷା ପୁଅ । ଗଜପତି ଜିଲ୍ଲା ମୋହନା, ରା. ଉଦୟଗିରି ଓ ନୂଆଗଡ ବ୍ଲକରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଯାଇଛି । କେଉଁଠି ହେକ୍ଟର ହେକ୍ଟର ଜମିରେ ବାଲିଚରି ଯାଇଛି ତ କେଉଁଠି ଧାନ କ୍ଷେତରେ ଏବେ ବି ପାଣି ଲହଡି ମାରୁଛି । ଆଉ କେଉଁଠି ଜମିରେ ଏପରି ମାଟି ମାଡିଯାଇଛି ଯେ ଧାନ ଗଛକୁ ସାଉଁଟିଲେ ବି ଠିଆ ହେଉନି । ଗତ ଲଗାଣ ବର୍ଷାରେ ଗଜପତି ଜିଲ୍ଲାରେ ଭୂସ୍ଖଳନ ସାଙ୍ଗକୁ ବିଭିନ୍ନ ଜାଗାରେ ଛୋଟବଡ କଲର୍ଭଟ ଭାଙ୍ଗି ବିଭିନ୍ନ ଅଞ୍ଚଳର ଚାଷ ଜମିକୁ ପାଣି ମାଡି ଯାଇଥିଲା । ଫଳରେ ଜିଲ୍ଲାର ହେକ୍ଟର ହେକ୍ଟର ଜମିରେ ହୋଇଥିବା ଧାନ ଓ ମକା ଚାଷ ନଷ୍ଟ ହୋଇଯାଇଥିଲା । ଉଜୁଡା କ୍ଷେତକୁ ଦେଖି ଚାଷୀକୂଳ ହତାଶ ହୋଇ ପଡିଛନ୍ତି ।
ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରଶାସନ ପହଞ୍ଚି କ୍ଷତିପୂରଣ ଆକଳନ କରିଛନ୍ତି । ହେଲେ ଏବେବି ଅନେକ ଅଞ୍ଚଳରେ ପ୍ରଶାସନ ପହଞ୍ଚିନଥିବା ଅଭିଯୋଗ ହୋଇଛି । ଏପରି ସ୍ଥିତିରେ ଚାଷୀ କିପରି କ୍ଷତିପୂରଣ ପାଇପାରିବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି । ଅନ୍ୟପଟେ ଯାହାର ଫସଲ ହାନି ହୋଇଛି ସରକାରଙ୍କ ନୀତି ନିୟମ ଅନୁସାରେ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୋହନା ତହସିଲଦାର । କ୍ଷୟକ୍ଷତିର ସମ୍ମୁଖୀନ ହେଇଥିବା ଚାଷୀଙ୍କୁ ବ୍ଲକ ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଶୀଘ୍ର ସହାୟତା ଯୋଗାଇ ଦେବା ଜରୁରୀ ହୋଇପଡିଛି ।