ଚାମ୍ପିୟନ୍ସ ଟ୍ରଫି ସେମିରେ ଦକ୍ଷିଣ ଆଫ୍ରିକାର ପରାଜୟ ପାଇଁ ICCକୁ ଦାୟୀ କଲେ ଡେଭିଡ ମିଲର
1 min read
ICC ଚାମ୍ପିୟନ୍ସ ଟ୍ରଫିର ଦ୍ବିତୀୟ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ନିକଟରୁ ଦକ୍ଷିଣ ଆଫ୍ରିକା ୫୦ ରନରେ ପରାସ୍ତ ହେବାକୁ ପଡ଼ିଛି । ଉକ୍ତ ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଷ୍ଟାର ବ୍ୟାଟ୍ସମ୍ୟାନ ଡେଭିଡ ମିଲର ଅପରାଜିତ ଶତକ ହାସଲ କରିଥିଲେ ହେଁ ଦଳକୁ ବିଜୟୀ କରାଇ ପାରିନଥିଲେ । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୩୬୩ ରନର ଟାର୍ଗେଟ ଦେଇଥିବା ବେଳେ ଦକ୍ଷିଣ ଆଫ୍ରିକା ମଧ୍ୟ ୩୧୨ ରନର ଏକ ଚ୍ୟାଲେଞ୍ଜିଂ ସ୍କୋର କରି ପରାଜିତ ହୋଇଥିଲା । ତେବେ ସେମିରେ ପରାଜୟ ପରେ ମିଲର ଏକ ବଡ଼ ବୟାନ ଦେଇଛନ୍ତି । ଦକ୍ଷିଣ ଆଫ୍ରିକା ପରାଜୟ ପାଇଁ ମିଲର ICCକୁ ଦାୟୀ କରିଛନ୍ତି ।
ଚାମ୍ପିୟନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବା ପରେ ମିଲର ICCର ଯାତ୍ରା ବ୍ୟବସ୍ଥା ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ହାଇବ୍ରିଡ ମଡେଲରେ ଖେଳାଯାଉଛି, ଯେଉଁଥିରେ କି ଭାରତର ତା’ର ସବୁ ମ୍ୟାଚ ଦୁବାଇରେ ଖେଳୁଛି । ଅନ୍ୟ ସବୁ ଟିମ ପାକିସ୍ତାନରେ ମ୍ୟାଚ ଖେଳୁଛନ୍ତି । ଅନ୍ୟପକ୍ଷରେ ଟୁର୍ଣ୍ଣାମେଣ୍ଟର ଶେଷ ଗ୍ରୁପ ଷ୍ଟେଜ ମ୍ୟାଚ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇପାରି ନଥିଲା ଯେ, ସେମିରେ କିଏ କାହାକୁ ଭେଟିବ । ଏପରି ସ୍ଥିତିରେ ଗ୍ରୁପ-ବି’ର ଦୁଇ ଫାଇନାଲିଷ୍ଟ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆାକୁ ପାକିସ୍ତାନରୁ ଦୁବାଇ ଯିବାକୁ ପଡ଼ିଥିଲା । ନ୍ୟୁଜିଲାଣ୍ଡକୁ ଭାରତ ହରାଇବା ପରେ ଦକ୍ଷିଣ ଆଫ୍ରିକାକୁ ପୁଣି ଥରେ ପାକିସ୍ତାନକୁ ଫେରିବାକୁ ପଡ଼ିଥିଲା, କାରଣ ଦକ୍ଷିଣ ଆଫ୍ରିକା ତା’ର ସେମିଫାଇନାଲ ଲାହୋରରେ ଖେଳିବାକୁ ଥିଲା । ଏହି ଅତିରିକ୍ତ ଯାତ୍ରାକୁ ମିଲର ଭୁଲ ବୋଲି ଦର୍ଶାଇଛନ୍ତି । ଫ୍ଲାଇଟ ପାଇଁ ମାତ୍ର ୧ ଘଣ୍ଟା ୪୦ ମିନିଟ ସମୟ ଥିଲା, ଏହାପରେ ବି ଯାତ୍ରା କରିବାକୁ ପଡ଼ିଥିଲା । ସକାଳ ଫ୍ଲାଇଟ ଥିବାରୁ ସକାଳୁ ଯାତ୍ରା କରିବାକୁ ପଡ଼ିଥିଲା । ଟିମ ଅପରାହ୍ଣ ୪ଟାରେ ଦୁବାଇରେ ପହଞ୍ଚିଥିଲା ଓ ସକାଳ ୭.୩୦ରେ ପୁଣି ଫେରିଥିଲା । ଖେଳାଳିଙ୍କ ପାଖରେ ଆରାମ କରିବା ଓ ସମ୍ପୂର୍ଣ୍ଣ ଠିକ୍ ହେବାକୁ ପର୍ଯ୍ୟାପ୍ତ ସମୟ ଥିଲା । ମାତ୍ର ଏହି ସ୍ଥିତି ବିଲକୁଲ ଆଦର୍ଶ ନଥିଲା ବୋଲି ମିଲର କହିଛନ୍ତି ।