ଟ୍ରମ୍ପ ସରକାରଙ୍କ ଟାରିଫ: ଭାରତରେ ଲକ୍ଷାଧିକ ଶ୍ରମିକ ବେରୋଜଗାର ହେବାକୁ ବସିଲେଣି
1 min read
ଆମେରିକାର ଟ୍ରମ୍ପ ସରକାରଙ୍କ ଟାରିଫ । ଭାରତରେ ଲକ୍ଷାଧିକ ଶ୍ରମିକ ବେରୋଜଗାର ହେବାକୁ ବସିଲେଣି । ଗତକାଲିଠୁ ଭାରତ ତିଆରି ପୋଷାକ ରପ୍ତାନୀ ଉପରେ ଟ୍ରମ୍ପ ସରକାର ଲାଗୁ କରିଛନ୍ତି ୫୯ ପ୍ରତିଶତ ଟାରିଫ । ଯାହାକି ପୋଷାକ ଶିଳ୍ପ ପ୍ରତି ଭାରି ବିପଦ । ବିକଳ୍ପ ବଜାର ନଥିବାରୁ ଭାରତରେ ପ୍ରଭାବିତ ହେଲାଣି ସୂତାକଳ ଓ ପୋଷାକ ଶିଳ୍ପ । ଗୁଜୁରାଟର ସୁରତ ଓ ତାମିଲନାଡ଼ୁର ତିରୁପୁରରେ ସୂତାକଳ ବନ୍ଦ ହେବାରେ ଲାଗିଲାଣି । ଅତ୍ୟଧିକ ଟାରିଫ ବୋଝ ଯୋଗୁ ବନ୍ଦ ହେଲାଣି ରପ୍ତାନୀ । ପୋଷାକ ଶିଳ୍ପ ଶ୍ରମିକ ଭିତ୍ତିକ ହୋଇଥିବାରୁ ଲକ୍ଷାଧିକ ଶ୍ରମିକ ଛଟେଇ ହେବା ଆଶଙ୍କା ଉପୁଜିଛି । ବିଶେଷକରି ଓଡ଼ିଶାର ବହୁ ଶ୍ରମିକ ଗୁଜୁରାଟ, ପଞ୍ଜାବ, ହରିୟାଣା, ତାମିଲନାଡ଼ୁରେ ଥିବା ସୂତା, କପଡ଼ା ଓ ପୋଷାକ ଶିଳ୍ପରେ କାମ କରନ୍ତି । ଏକ ଆକଳନରୁ ଜଣାପଡ଼ିଛି ଉତ୍ପାଦନ ବନ୍ଦ ହେଲେ ପ୍ରାୟ ୫ ଲକ୍ଷରୁ ଅଧିକ ଓଡ଼ିଆ ଶ୍ରମିକ ରୋଜଗାର ହରାଇବେ । କଣ କରିବେ କିଛି ବି ବିକଳ୍ପ ବାଟ ବାହାରିପାରୁନି । ପୋଷାକ ଶିଳ୍ପରେ ଏତେ ସଂଖ୍ୟାରେ ଓଡ଼ିଆଙ୍କ ଛଟେଇ ହେବାକୁ ବସିଛି । କେମିତି ସେମାନଙ୍କ ପରିବାର ଚଳିବ ତାକୁ ନେଇ ସରକାରୀ ସ୍ତରରେ କିଛି ବି ଉଦ୍ୟମ ଦେଖିବାକୁ ମିଳିନି । ୨୦୨୪-୨୫ ବର୍ଷରେ ଆମେରିକାକୁ ଭାରତ ରପ୍ତାନୀ କରିଥିଲା ୧୦.୯ ବିଲିୟନ ଡଲାର ପୋଷାକ । ଆମେରିକାକୁ ଭାରତ ପୋଷାକ ରପ୍ତାନୀ କରିବାରେ ବିଶ୍ବରେ ତୃତୀୟ ଦେଶ । ଦେଶର ମୋଟ ଅଭିବୃଦ୍ଧିରେ ୨.୩ ପ୍ରତିଶତ ପୋଷାକ ଶିଳ୍ପର ଅବଦାନ ରହିଛି । ସେପଟେ ଚୀନ ଓ ଆଫ୍ରିକା କେବେ ବି ଭାରତୀୟ ପୋଷାକ ଶିଳ୍ପ ପାଇଁ ବିକଳ୍ପ ବଜାର ହୋଇପାରିବନି । କାରଣ ଭାରତ ନିର୍ମିତ ଗୋଟିଏ ଶାର୍ଟ ଆମେରିକାରେ ୮ ଡଲାରରେ ବିକ୍ରି ହୋଇଥାଏ । କିନ୍ତୁ ଚୀନ ଓ ଆଫ୍ରିକାରେ ବିକ୍ରି ହେଲେ ଏହା ୪ ଡଲାରରେ ବିକ୍ରି ହେବ । ଯାହାକୁ ପୋଷାକ ଶିଳ୍ପ କ୍ଷତିରେ ପଡ଼ିବେ ଓ ରପ୍ତାନୀ ମଧ୍ୟ ପ୍ରଭାବିତ ହେବ ।
ବିଶେଷଜ୍ଞଙ୍କ ଅଭିଯୋଗ ଆମେରିକା ଯେବେଠୁ ଭାରତକୁ ଟାରିଫ ଧମକ ଦେଲାଣି । ସେବେଠାରୁ କେନ୍ଦ୍ର ସରକାର କୁଟନୈତିକ ସ୍ତରରେ କଥାବାର୍ତ୍ତା ଜାରି ରଖିଥିଲେ ବି ସଫଳତା ପାଇନାହାନ୍ତି । ଟ୍ରମ୍ପ ସରକାର ଭାରତକୁ ଏକ ପ୍ରକାର ବ୍ଲାକମେଲିଂ କରିବା ଭଳି ସ୍ଥିତିକୁ ଆଣିଛନ୍ତି । ଭାରତର ପୋଷାକ ଶିଳ୍ପ ରପ୍ତାନୀ ଉପରେ ଟ୍ରମ୍ପ ସରକାର ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ସହ ମୋଟ ୫୯ ପ୍ରତିଶତ ଟାରିଫ ଲଗାଇଛନ୍ତି । କିନ୍ତୁ ସେଠି ଚୀନ ଉପରେ ୩୦ ପ୍ରତିଶତ, ଭିଏତନାମ ଉପରେ ୨୦, ଇଣ୍ଡୋନେସିଆ ଉପରେ ୧୯ ଓ ଜାପାନ ଉପରେ ୧୫ ପ୍ରତିଶତ ମାତ୍ର ଟାରିଫ ଲଗାଇଛନ୍ତି । ଭାରତ ଉପରେ ବସାଇଥିବା ଟାରିଫ ଅନ୍ୟ ବିକଶିତ ଓ ବିକାଶଶୀଳ ରାଷ୍ଟ୍ରଠାରୁ ଯଥେଷ୍ଠ ଅଧିକ । କେତେକ ବିଶେଷଜ୍ଞଙ୍କ ମତରେ ଭାରତ ଉପରେ ଆମେରିକା ଟାରିଫ ବୋଝ କମ କରିବାକୁ ସ୍ବତନ୍ତ୍ର ଭାବେ ଲାୟସନିଂ କରିବାକୁ କେନ୍ଦ୍ର ସରକାର ଗୋଟିଏ କମ୍ପାନୀକୁ ଦାୟିତ୍ବ ଦେଇ ସେ କମ୍ପାନୀ ପିଛା କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ହେଲେ ତଥାପି ସଫଳତା ମିଳୁନି । ଲକ୍ଷାଧିକ ଓଡ଼ିଆ ବେରୋଜଗାର ହେଲେ ସେମାନଙ୍କୁ ରୋଜଗାର ପନ୍ଥା କଣ ହେବ ସେ ନେଇ ଏବେଠୁ ରାଜ୍ୟ ସରକାର ବି ତତ୍ପର ଦେବା ଦରକାର ବୋଲି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।