ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ

କୋଲକତା: ଆସିଛି ଏକ ବଡ଼ ଖବର । ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । କୋଲକତାର ଦୁର୍ଗାପୁର ଏକ୍ସପ୍ରେସଓ୍ବରେ ଆଜି ଘଟିଥିଲା ଏହି ଦୁର୍ଘଟଣା । ସୌରଭଙ୍କ କାର ଡ୍ରାଇଭର ଅଚାନକ ବ୍ରେକ ମାରିବା ଫଳରେ ପଛରୁ ଏକ ଟ୍ରକ ଧକ୍କା ଦେଇଥିଲା । ଏହାଫଳରେ କନଭୟର ଯାନଗୁଡ଼ିକ ପରସ୍ପର ସହ ଧକ୍କା ହୋଇଥିଲେ । ତେବେ ଏହି ଦୁର୍ଘଟଣାରେ ସୌରଭ ସୁରକ୍ଷିତ ଅଛନ୍ତି ଓ ସେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ।

ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗାଙ୍ଗୁଲି ଯାଉଥିଲେ । ଏହି ଦୁର୍ଘଟଣାରେ ସୌରଭଙ୍କ କନଭୟର ଦୁଇଟି କାର ସାମାନ୍ୟ କ୍ଷତି ହୋଇଥିବା ଜଣାପଡ଼ିଛି । ତେବେ ଏହି ଦୁର୍ଘଟଣା ପରେ ଦାଦା କାର୍ଯ୍ୟକ୍ରମ ବାତିଲ କରିନଥିଲେ । ଏହି ପରିସ୍ଥିତି ପାଇଁ ଦାଦା ଘଟଣାସ୍ଥଳରେ ୧୦ ମିନିଟ୍ ରହିଥିଲେ । ଏକ ଲରି ଅଚାନକ ସାମ୍ନାକୁ ଆସିଯିବାରୁ ସୌରଭଙ୍କ କାର ଡ୍ରାଇଭର ଅଚାନକ ବ୍ରେକ ମାରିଥିଲେ । ଫଳରେ କନଭୟରେ ଯାଉଥିବା ଯାନଗୁଡ଼ିକ ପରସ୍ପର ସହ ଧକ୍କା ହୋଇଥିଲା ବୋଲି ପଶ୍ଚିମବଙ୍ଗ ପୋଲିସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ପରବର୍ତ୍ତୀ ସମୟରେ ଗାଙ୍ଗୁଲି ବର୍ଦଓ୍ବାନ ୟୁନିଭରସିଟିର କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।