ଚାମ୍ପିୟନ୍ସ ଟ୍ରଫି ଜିତିବା ପରେ ଟିମ୍ ଇଣ୍ଡିଆକୁ କେତେ ପୁରସ୍କାର ରାଶି ମିଳିଲା: ଉପବିଜେତା ନ୍ୟୁଜିଲାଣ୍ଡକୁ କେତେ ମିଳିଲା?

ଦୁବାଇ: ନ୍ୟୁଜିଲାଣ୍ଡକୁ ୪ ଓ୍ବିକେଟରେ ହରାଇ ଭାରତ ଚାମ୍ପିୟନ୍ସ ଟ୍ରଫି ୨୦୨୫କୁ ନିଜ ନାମରେ କରିଛି । ଏହି ବିଜୟ ପରେ ଟିମ୍ ଇଣ୍ଡିଆ ଉପରେ ଟଙ୍କା ବର୍ଷା ହୋଇଛି । ଅନ୍ୟପକ୍ଷରେ ଉପବିଜେତା ନ୍ୟୁଜିଲାଣ୍ଡ ଟିମକୁ ମଧ୍ୟ କୋଟି କୋଟି ଟଙ୍କାର ପୁରସ୍କାର ରାଶି ମିଳିଛି । ଭାରତ ତୃତୀୟ ଥର ପାଇଁ ଚାମ୍ପିୟନ୍ସ ଟ୍ରଫି ଜିତିଛି । ପ୍ରଥମେ ୨୦୦୨ରେ ଭାରତ ଚାମ୍ପିୟନ୍ସ ଟ୍ରଫି ଜିତି ଶ୍ରୀଲଙ୍କା ସହ ଯୁଗ୍ମ ଚାମ୍ପିୟନ ହୋଇଥିଲା । ତା’ପରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବରେ ୨୦୧୩ରେ ଭାରତ ଚାମ୍ପିୟନ ହୋଇଥିଲା । ଏବେ ରୋହିତ ଶର୍ମାଙ୍କ ନେତୃତ୍ବରେ ମେନ ଇନ ବ୍ଲ୍ୟୁ ଇତିହାସ ରଚିଛି ।

ଚାମ୍ପିୟନ୍ସ ଟ୍ରଫି ଜିତିବା ପରେ ଭାରତୀୟ ଦଳକୁ ପାଖାପାଖି ୧୯.୪୮ କୋଟି ଟଙ୍କା (୨.୨୪ ମିଲିୟନ ଡଲାର) ମିଳିଛି । ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡକୁ ୯.୭୪ କୋଟି ଟଙ୍କା (୧.୧୨ ମିଲିୟନ ଡଲାର) ମିଳିଛି । ଆଇସିସି ତରଫରୁ ପୂର୍ବରୁ ପ୍ରାଇଜ ମନି ଘୋଷଣା କରାଯାଇଥିଲା । ସେମିଫାଇନାଲିଷ୍ଟ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାକୁ ଏକ ସମାନ ଅର୍ଥ ୪.୮୭ କୋଟି ମିଳିଛି । ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହିଥିବା ଦୁଇ ଟିମ୍ ଆଫଗାନିସ୍ତାନ ଓ ବାଂଲାଦେଶକୁ ଏକ ସମାନ ଅର୍ଥ ୩.୦୪ ଟଙ୍କା ମିଳିଛି । ସପ୍ତମ ଓ ଅଷ୍ଟମ ସ୍ଥାନରେ ରହିଥିବା ଦୁଇ ଟିମ ପାକିସ୍ତାନ ଓ ଇଂଲଣ୍ଡକୁ ଏକ ସମାନ ଅର୍ଥ ୧.୨୨ କୋଟି ମିଳିଛି । ଗ୍ରୁପ ଷ୍ଟେଜରେ ବିଜୟୀ ଟିମକୁ ୨୯.୬୧ ଲକ୍ଷ ଟଙ୍କା ମିଳିଛି । ଏଥିସହିତ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ସମସ୍ତ ୮ଟି ଟିମକୁ ପାଖାପାଖି ୧.୦୮ କୋଟିର ଗ୍ୟାରେଣ୍ଟି ମନି ଦିଆଯାଇଛି । ଏଥର ଆଇସିସି ପାଖାପାଖି ୬୦ କୋଟି ଟଙ୍କାର ପୁରସ୍କାର ରାଶି ବାଣ୍ଟିଛି, ଯାହାକି ୨୦୧୭ ତୁଳନାରେ ୫୩ ପ୍ରତିଶତ ଅଧିକ ।