ଗାଁକୁ ନାହିଁ ରାସ୍ତା, ପହଞ୍ଚି ପାରୁନି ଆମ୍ବୁଲାନ୍ସ: ବାରମ୍ବାର ଅଭିଯୋଗ କଲେ ବି କେହି ଶୁଣୁ ନାହାନ୍ତି

ସାଲେପୁର: ଟିକେ ଭଲ କରି ଦେଖନ୍ତୁ ଏହି ଗାଁକୁ। ଚାରିପଟେ ବିଲ ଗହିର ମଝିରେ ଦୂରରୁ ଦିଶୁଥିବା ଏହି ଗାଁ କଟକ ସାଲେପୁରର ସୌରି ଗାଁ। ୧୦ ରୁ ୧୨ଟି ପରିବାରର ୫୦ ରୁ ୬୦ ଲୋକ ଏହି ରାସ୍ତା ଦେଇ ଯାତାୟାତ କରନ୍ତି। ବର୍ଷ ବର୍ଷ ଧରି ଜୀବନକୁ ବାଜି ଲଗାଇ ଏଇ ରାସ୍ତାରେ ଲୋକେ ଯାତାୟାତ କରିଥାନ୍ତି। ବର୍ଷା ଦିନେ କାଦୁଅ ପଚପଚ ରାସ୍ତାରେ ଚାଲିକି ଯିବା ବି କଷ୍ଟ ହୋଇପଡ଼ିଛି। ଜରୁରୀକାଳୀନ ସେବା ପାଇଁ ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ  ।

ସୌରୀ ଗାଁର ଲୋକମାନେ ରାସ୍ତା ଖଣ୍ଡିକ ପାଇଁ କେତେ କାହାକୁ ଅନୁରୋଧ କଲେ ମଧ୍ୟ କିଛି ସୁଫଳ ମିଳି ପାରିନାହିଁ। ରାଜନେତା ଲୋକ ପ୍ରତିନିଧିଙ୍କଠୁ ଆରମ୍ଭ କରି ବଡ ବଡ ଅଫିସର ଯାଏଁ ଏହି ରାସ୍ତା ଦେଇ ଯିବା ଆସିବା କରନ୍ତି। କିନ୍ତୁ ରାସ୍ତା ପ୍ରତି କାହାରି ଦୃଷ୍ଟି ପଡୁନଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ପ୍ରଶାସନ ଗୁରୁତ୍ଵ ଦେଇ ଗାଁକୁ ରାସ୍ତା ଖଣ୍ଡେ ନିର୍ମାଣ କରିବାକୁ ଅନୁରୋଧ କରିଛନ୍ତି ଲୋକେ।