ନନ୍ଦିଘୋଷ ବ୍ୟୁରୋ : ମୟୂରଭଞ୍ଜ ରାସଗୋବିନ୍ଦପୁର ବ୍ଲକ କାକବନ୍ଧ ସ୍କୁଲର ଶତାଧିକ ଅନ୍ତେବାସୀ ଡାଇରିଆରେ ଅସୁସ୍ଥ ହେବା ଘଟଣା। ଚିକିତ୍ସାଧିନ ଅବସ୍ଥାରେ ଆଖିବୁଜିଲେ ୫ମ ଶ୍ରେଣୀ ଛାତ୍ରୀ । ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ନଳଗଜା ଅଞ୍ଚଳର ୫ମ ଶ୍ରେଣୀ ଛାତ୍ରୀ ରୁପାଲି ବେଶ୍ରାଙ୍କ ମୃତ୍ୟୁ ହୋଇଛି। ଦୁଇ ଦିନ ତଳେ ଆଶ୍ରମ ବିଦ୍ୟାଳୟର ୧୫୦ ରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀ ଗୁରୁତର ହୋଇ ରାସଗୋବିନ୍ଦପୁର ସିଏଚସିରେ ଭର୍ତ୍ତି ହୋଇଥିଲେ। ଗତକାଲି ଗୁରୁତର ହେବାରୁ ୫୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ରାସଗୋବିନ୍ଦପୁର ଡାକ୍ତରଖାନାରୁ ବାରିପଦା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଗୁରୁତର ଥିବା ରୁପାଲି ଙ୍କୁ ଗତକାଲି ଠାରୁ ICUରେ ରଖାଯାଇଥିଲା । ତେବେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଝିଅର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଗୁରୁତର ଛାତ୍ର ଛାତ୍ରୀଙ୍କୁ ମେଡିକାଲରେରେ ଭେଟି ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା। ସେପଟେ ଵାରିପଦା ପିଆରଏମ୍ ହସ୍ପିଟାଲରେ ଚାପା ଉତ୍ତେଜନା ଲାଗିରହିଛି। ଚିକିତ୍ସାରେ ଅବହେଳା ପାଇଁ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ମୃତକଙ୍କ ପରିବାରଙ୍କୁ କ୍ଷତି ପୂରଣ ଦାବୀରେ ଆନ୍ଦୋଳନ ଚାଲିଛି। ହସ୍ପିଟାଲ ପରିସରରେ ବିଭିନ୍ନ ଦଳର ନେତା ଓ କର୍ମୀ ଉପସ୍ଥିତ ରହି ସରକାରଙ୍କ ବିରୁଦ୍ଧରେ ନାରାବାଜି ଦେଇଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। କାକବନ୍ଧ ଆଶ୍ରମ ବିଦ୍ୟାଳୟ ର ଛାତ୍ରୀ ମୃତ୍ୟୁ ଘଟଣାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନିଲମ୍ବିତ ହୋଇଛନ୍ତି।

