ଓଡ଼ିଶାରେ କଂଗ୍ରେସକୁ ଶକ୍ତିଶାଳୀ କରିବାକୁ ଭକ୍ତ ଖୋଜୁଛନ୍ତି ୫୦୦ ବିପ୍ଲବୀ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାରେ କଂଗ୍ରେସକୁ ଶକ୍ତିଶାଳୀ କରିବାକୁ ନୂଆ ଫଣ୍ଡା ଆପଣାଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ପଦ, ପଦବୀରେ ନରହି ସଂଗଠନକୁ ମଜବୁତ କରିବାକୁ ୫ ଶହ ଉଚ୍ଚ ଶିକ୍ଷିତ ବିପ୍ଲବୀ ଖୋଜୁଛି ରାଜ୍ୟ କଂଗ୍ରେସ । ଦେଢ ମାସ ମଧ୍ୟରେ ୫ ଶହ ବିପ୍ଲବୀ ପ୍ରସ୍ତୁତ କରିବା ପରେ ଭକ୍ତ ଦାସ ଗଢିବେ ନିଜର ନୂଆ ଟିମ । ଏବେ କଂଗ୍ରେସ ଶିବିରରେ ସମର୍ପିତ ବିପ୍ଲବୀ ଖୋଜା ଅଭିଯାନ ଆରମ୍ଭ ହୋଇଛି ।

ଆଗ ଲଢେଇ ପରେ ଟିମ । ଓଡିଶା କଂଗ୍ରେସ ଖୋଜୁଛି ସର୍ମପଣ ବ୍ୟକ୍ତିଙ୍କୁ । ପଦ ପଦବୀରେ ନରହି କଂଗ୍ରେସକୁ ତୃଣମୂଳ ସ୍ତରରୁ ରାଜ୍ୟସ୍ତର ଯାଏଁ ମଜବୁତ କରିବାକୁ ପିସିସି ସଭାପତଙ୍କୁ ଲୋଡା ପଡଛି ନୂଆ ବିପ୍ଲବୀ । ଦାୟିତ୍ବ ନେବାକୁ ୨ ମାସ ପିସିସି ସଭାପତି ଓଡିଶା କଂଗ୍ରେସ ପାଇଁ  ସର୍ମପିତ ଥିବା ୫ ଶହ ବିପ୍ଲବୀ ଖୋଜୁଛନ୍ତି । ଏନେଇ ଦଳ ପକ୍ଷରୁ ବାୟୋଡାଟା ସଂଗ୍ରହ କରାଯାଉଛି । ଦେଢମାସ ଭିତରେ ଦଳ ପ୍ରତି ଆନୁଗତ୍ୟ, ଉଚ୍ଚଶିକ୍ଷିତ ଓ ଉତ୍ସଗୀକୃତ ଥିବା ବ୍ୟକ୍ତିଙ୍କୁ  ବିପ୍ଲବୀ ଭାବେ ଗ୍ରହଣ କରିବ ଦଳ । ଯେଉଁମାନେ କୌଣସି ପଦ ପଦବୀରେ ନରହି ମଧ୍ୟ ଦଳର ପ୍ରମୁଖ ଦାୟିତ୍ବ ତୁଲାଇବେ ବୋଲି ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି । ୫ ଶହ ବିପ୍ଲବୀ ଜିଲ୍ଲା ସ୍ତରରେ ସଂଗଠନକୁ ମଜବୁତ କରିବା ସହ ଗୋଟିଏ ଲେଖାଏଁ ବିଧାନସଭା ଓ ଲୋକସଭା କ୍ଷେତ୍ରର ଦାୟିତ୍ବ ନେବେ । ଏହାସହ ଦଳର ସମସ୍ତ ପ୍ରମୁଖ ଅଭିଯାନକୁ ସଫଳ କରିବାରେ ସେମାନେ ସାରଥି ସାଜିବେ ବୋଲି ସେ କହିଛନ୍ତି ।

ଫେବୃୟାରୀ ୧୧ ତାରିଖରେ ପିସିସି ସଭାପତି ଭାବେ ଭକ୍ତ ଦାସ ଦାୟିତ୍ବ ଗ୍ରହଣ କରିଛନ୍ତି ।  ୨ ମାସ ପରେ ମଧ୍ୟ ପିସିସି ସଭାପତି ତାଙ୍କର ଟିମ ଗଠନ କରିପାରିନାହାନ୍ତି । ଭକ୍ତଙ୍କ ଟିମରେ କିଏ ଗୁରୁତ୍ବ ପାଇବ ତାହାକୁ ନେଇ କଂଗ୍ରେସ ଅନ୍ଦର ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ବରିଷ୍ଠ ଓ ଯୁବଙ୍କ ମଧ୍ୟରେ ସମ୍ବନୟ ରଖି ପିସିସି ସଭାପତି ଟିମ ଗଢିବେ ବୋଲି ନେତାଏ କହିଛନ୍ତି । ଦଳର ବରିଷ୍ଠ ନେତା ତାରା ପ୍ରସାଦ ବାହୀନିପତି ଓ ସୁରେଶ ରାଉତରାୟଙ୍କ ମତ ହେଉଛି ପିସିସି ସଭାପତି ତାଙ୍କର ନୂଆ ଟିମ ଗଠନ କରିବା ପ୍ରକ୍ରିୟା ଜାରୀ ରଖିଛନ୍ତି ।  ସାଂଗଠନିକ ଦକ୍ଷତା ଥିବା ନେତାଙ୍କୁ ସଂଗଠନରୁ ଗୁରୁ ଦାୟିତ୍ବ ଦେବେ ପିସିସି ସଭାପତି ।

୨୫ ବର୍ଷ ହେବ ଓଡିଶା କଂଗ୍ରେସ ପଦ ପଦବୀର ଚୌକି ଲଢେଇ ପାଇଁ କ୍ଷମତା ବାହାରେ ରହିଛି । ଯାହାକୁ ଭଲ ଭାବେ ବୁଝିଛନ୍ତି ପିସିସି ସଭାପତି । ତେଣୁ ନେତା ନୁହେଁ, ଓଡିଶାରେ କଂଗ୍ରେସ ସଂଗଠନକୁ ନୂଆ ରୂପ ଦେବା ପାଇଁ ଖୋଜିଲେଣି ବିପ୍ଲବୀ ।