ଆଜିଠୁ ଭାରତ- ଜିମ୍ବାୱେ ପ୍ରଥମ ଟି-୨୦ ମ୍ୟାଚ୍
ନନ୍ଦିଘୋଷ ବ୍ୟୁରୋ: ଆଜିଠୁ ଭାରତୀୟ ମହିଳା କ୍ରିକେଟ୍ ଦଳ ପାଇଁ ଆରମ୍ଭ ହେବ ଏକ ନୂଆ ଯୁଗ । ଯାହାକୁ ‘ସ୍ମୃତି ମନ୍ଧାନାଙ୍କ ଯୁଗ’ ବୋଲି କୁହାଯାଉଛି। ହରମନପ୍ରୀତ କୌର ଅଧିନାୟକ ପଦ ଛାଡ଼ିବା ପରେ ମନ୍ଧାନାଙ୍କୁ ଭାରତୀୟ ମହିଳା ଦଳର ଅଧିନାୟକ ଦାୟିତ୍ୱ ମିଳିଛି । ତାଙ୍କ ନେତୃତ୍ୱରେ ଭାରତୀୟ ଦଳ ଆଜିଠାରୁ ଜିମ୍ବାୱେ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ କରିବ । ପ୍ରକାଶ ଥାଉ କି, ଏହା ପୂର୍ବରୁ ମନ୍ଧାନା ହରମନପ୍ରୀତଙ୍କ ଅନୁପସ୍ଥିତିରେ ଦଳର ଅଧିନାୟକ ଭାବେ ଦାୟିତ୍ବ ତୁଲାଇଛନ୍ତି । ତେବେ ଦଳର ଫୁଲ ଟାଇମ୍ ଅଧିନାୟକ ଭାବେ ଏହା ତାଙ୍କର ପ୍ରଥମ ମ୍ୟାଚ୍ ହୋଇଥିବାରୁ ସମସ୍ତ ନଜର ରହିବ । ଆଜି ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡ଼ିୟମରେ ଭାରତ ଓ ଜିମ୍ବାୱେ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ । ତେବେ ପ୍ରଥମ ଥର ପାଇଁ ଉଭୟ ଦଳ ଦ୍ବିପାକ୍ଷିକ ସିରିଜରେ ପରସ୍ପରକୁ ଭେଟିବେ ।
ଏସୀୟ ସ୍ତରରେ ପ୍ରାଧାନ୍ୟ ବିସ୍ତାର କରିଥିବା ଭାରତ ଅନ୍ତର୍ଜାତୀୟ ସ୍ତରରେ (ଟି-୨୦ କ୍ରିକେଟ୍)ରେ ପଛୁଆ ରହିଛି । ବାରମ୍ବାର ଟି-୨୦ ବିଶ୍ବକପ୍ ରୁ ଭାରତର ବିଦାୟ ଏହାର ଏକ ଜ୍ବଳନ୍ତ ଉଦାହରଣ । ତେବେ ଗତ ବର୍ଷ ନିଜ ଦେଶରେ ଆୟୋଜିତ ମହିଳା ଦିନିକିଆ ବିଶ୍ବକପ ହାତେଇଥିଲା ଦଳ । କିନ୍ତୁ ଫିଲ୍ଡିଂ ଦଳ ପାଇଁ ଚିନ୍ତା ବଢାଇଛି । ଦୁର୍ବଳ ଫିଲ୍ଡିଂ କାରଣରୁ ନିକଟ ଅତୀତରେ ବହୁ ମ୍ୟାଚ୍ ହାରିଛି ଭାରତ । ତେବେ ଏଥିରେ ଦଳକୁ ବିଶେଷ ଦୃଷ୍ଟି ଦେବାକୁ ହେବ । ସ୍ପିନ୍ ବିଭାଗରେ ଭାରତର ଶକ୍ତି ରହିଛି । ତେବେ ଟି-୨୦ ସିରିଜ ପରେ ଉଭୟ ଦଳ ମଧ୍ୟରେ ଭଦୋଦରାଠାରେ ୩ ମ୍ୟାଚ୍ ବିଶିଷ୍ଚ ଦିନିକିଆ ସିରିଜ ଖେଳାଯିବ ।

