spot_img

Latest Posts

ସୁପ୍ରିମକୋର୍ଟ ଅଭିମୁଖେ ଇଣ୍ଡିଆ ମେଣ୍ଟର ସାଂସଦ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ବିଶାଳ ଶକ୍ତିପ୍ରଦର୍ଶନ। ଦିଲ୍ଲୀ କନଷ୍ଟିଚ୍ୟୁସନ କ୍ଲବରୁ ସୁପ୍ରିମକୋର୍ଟ ଅଭିମୁଖେ ‘ଚଲୋ ଦିଲ୍ଲୀ—ମାର୍ଚ୍ଚ ଫର୍ ଡେମୋକ୍ରାସି’ ନାମରେ ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସାକ୍ଷାତ ପାଇଁ ମନା କରିଥିଲେ ବି ଇଣ୍ଡିଆ ମେଣ୍ଟ ଏହି ପଦଯାତ୍ରା ଜାରି ରଖିଥିଲା। SIR ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆୟୋଜିତ ଏହି ଆନ୍ଦୋଳନରେ ସାରା ଦେଶରୁ ହଜାର ହଜାର କଂଗ୍ରେସ ଓ ମେଣ୍ଟ କର୍ମୀ ଏକାଠି ହୋଇଥିଲେ। ଏଥିରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ଼ଗେ, ଟିଏମସିର ମମତା ବାନାର୍ଜୀ, ମହୁଆ ମୋଇତ୍ରା, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଆରଜେଡିର ତେଜସ୍ୱୀ ଯାଦବ ଏବଂ ବାମଦଳର ଶୀର୍ଷ ନେତାମାନେ ସାମିଲ ହୋଇଥିଲେ।

ପଦଯାତ୍ରା ପୂର୍ବରୁ କେନ୍ଦ୍ର ସରକାର ଓ CEC ଜ୍ଞାନେଶ କୁମାରଙ୍କ ବିରୋଧରେ ରାହୁଲ ଗାନ୍ଧୀ କଡ଼ା ପ୍ରହାର କରିଥିଲେ। ସରକାର ଜ୍ଞାନେଶ କୁମାରଙ୍କୁ କାହିଁକି ସୁରକ୍ଷା ଦେଉଛନ୍ତି, ପୋଲିସ ଏବଂ ବିଜେପି-ଆରଏସଏସ କର୍ମୀମାନେ ଆନ୍ଦୋଳନକାରୀ ଓ ମହିଳାଙ୍କ ଉପରେ ଆକ୍ରମଣ କରୁଥିଲେ ବି କାହିଁକି କୌଣସି ଆକ୍ସନ ନିଆଯାଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ସାମ୍ବିଧାନିକ ଅଧିକାର ଅନୁସାରେ ଆନ୍ଦୋଳନ ହେଉଥିବା ବେଳେ ଦିଲ୍ଲୀକୁ ଜେଲରେ ପରିଣତ କରାଯାଉଥିବା ନେଇ ସେ ଅଭିଯୋଗ ଆଣିଛନ୍ତି। ତେବେ CEC ଇସ୍ତଫା ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେବା ସହ, ଆଗାମୀ ନିର୍ବାଚନ ବାଲଟ୍ ପେପରରେ କରାଇବାକୁ ଏବଂ ବିଗତ ୨ ବର୍ଷରେ ହୋଇଥିବା ସମସ୍ତ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ରାହୁଲ ଦାବି କରିଛନ୍ତି। SIR ଅନିୟମିତତାକୁ ନେଇ ସୁପ୍ରିମକୋର୍ଟରେ ପିଟିସନ ମଧ୍ୟ ଦାଖଲ କରାଯାଇଛି, ଯେଉଁଥିରେ ରାହୁଲ ଗାନ୍ଧୀ ମୁଖ୍ୟ ଆବେଦନକାରୀ ଅଛନ୍ତି।

ତେବେ ପୂର୍ବ ଯୋଜନା ଅନୁସାରେ ଇଣ୍ଡିଆ ମେଣ୍ଟ ସୁପ୍ରିମକୋର୍ଟ ଯାଏ ପଦଯାତ୍ରା କରି ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ଦାବିପତ୍ର ଦେବାକୁ ଚାହିଁଥିଲେ। ମାତ୍ର ପ୍ରଧାନ ବିଚାରପତି ସାକ୍ଷାତ ପାଇଁ ସ୍ପଷ୍ଟ ମନା କରିଦେଇଥିଲେ। ଏହି ମାମଲା ବର୍ତ୍ତମାନ ଅଦାଲତଙ୍କ ବିଚାରାଧୀନ ଥିବାରୁ ଏବଂ ସମ୍ବିଧାନ ଅନୁସାରେ କୌଣସି ରାଜନୈତିକ ଦଳକୁ ଭେଟି ଦାବିପତ୍ର ଗ୍ରହଣ କରିବା ଉଚିତ୍ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ତେବେ ଆଇନଗତ ପ୍ରକ୍ରିୟାରେ ପିଟିସନ ଦାଖଲ ହେଲେ ଅଦାଲତ ଶୁଣାଣି କରି ନିଶ୍ଚିତ ନ୍ୟାୟ ପ୍ରଦାନ କରିବେ ଏବଂ ପ୍ରତ୍ୟେକ ନାଗରିକଙ୍କ ମୌଳିକ ଅଧିକାର ବଜାୟ ରଖିବାକୁ କୋର୍ଟ ନିଷ୍ଠାପର ବୋଲି CJI ପ୍ରକାଶ କରିଛନ୍ତି।

ତେବେ CEC ଜ୍ଞାନେଶ କୁମାରଙ୍କ ବିରୋଧରେ ଆଗତ ସମସ୍ତ ପିଟିସନକୁ ଏକତ୍ରିତ କରାଯାଇଛି ଏବଂ ଆସନ୍ତା ୨୭ ତାରିଖରେ ସୁପ୍ରିମକୋର୍ଟ ଏହାର ଶୁଣାଣି କରିବେ। ଆଜିର ଏହି ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ କଡ଼ାକଡ଼ି କରାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ରାଜୀବ ଚୌକ, ଜନପଥ, ମଣ୍ଡି ହାଉସ୍, କେନ୍ଦ୍ରୀୟ ସଚିବାଳୟ, ପଟେଲ୍ ଚୌକ ଓ ବାରାଖମ୍ବା ରୋଡ୍ ମେଟ୍ରୋ ଷ୍ଟେସନଗୁଡ଼ିକୁ କିଛି ସମୟ ପାଇଁ ବନ୍ଦ ରଖାଯିବା ପରେ ପୁଣି ଖୋଲାଯାଇଥିଲା। ଅନ୍ୟପକ୍ଷରେ, ଜନ୍ତର ମନ୍ତରରେ ବିକ୍ଷୋଭ ପ୍ରଦର୍ଶନ ଉପରେ କଟକଣା ଲଗାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ବଦଳରେ ରାମଲୀଳା ମୈଦାନ, ସିବିଡି ଓ ବୁରାଡ଼ି ପଡ଼ିଆରେ ଆନ୍ଦୋଳନ ପାଇଁ ଅନୁମତି ଦିଆଯିବ। କକ୍ରୋଚ ଜନତା ପାର୍ଟି ଜନ୍ତର ମନ୍ତରରେ ଆନ୍ଦୋଳନ ପାଇଁ ଅନୁମତି ମାଗିଥିଲେ ବି ପୋଲିସ ସେହି ଅନୁରୋଧକୁ ବାତିଲ କରିଦେଇଛି।

Latest Posts

Don't Miss