spot_img

Latest Posts

ମହାବାତ୍ୟାକୁ ୨୭ ବର୍ଷ: ଆଜି ବି ମନେପଡେ ସେ ଛାତିଥରା ଦୃଶ୍ୟ…

ନନ୍ଦିଘୋଷ ବ୍ୟୁରୋ:  ୨୯ ଅକ୍ଟୋବର ୧୯୯୯। ମାଡ଼ି ଆସିଥିଲା ମହାବାତ୍ୟା। ଅବିଶ୍ରାନ୍ତ ବର୍ଷା ସହ ପ୍ରବଳ ବେଗରେ ବହିଥିଲା ପବନ । ଚାହୁଁ ଚାହୁଁ ସବୁକିଛି ଛାରଖାର ହୋଇଯାଇଥିଲା। ହଜାର ହଜାର ଲୋକଙ୍କର ହୋଇଥଲା ମୃତ୍ୟୁ । କାହାର ଘର ଉଜୁଡିଲା ତ କିଏ ସର୍ବସ୍ବ ହରାଇ ହୋଇଥିଲା ନିଃସ୍ବ। ଗୋଟିଏ ମିନିଟ ଲାଗୁଥିଲା ଗୋଟିଏ ଯୁଗ। ସମୁଦ୍ରର ବିକଟାଳ ଜୁଆର ଖେଳାଇଥିଲା ଆତଙ୍କ । ମୃତ୍ୟୁର ତାଣ୍ଡବ ଓ ଅସହାୟ ମଣିଷଙ୍କ ଆର୍ତ୍ତଚିତ୍କାର ଭିତରେ ବିତିଥିଲା ଭୟଙ୍କର ରାତି। ମହାବାତ୍ୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅଞ୍ଚଳ। ନିଜ ଆଖି ଆଗରେ ହରାଉଥିଲେ ନିଜର ପ୍ରିୟଜନଙ୍କୁ।  କିଏ ବାପା , ମା ଛେଉଣ୍ଡ ହୋଇଥିଲା ତ କିଏ ସ୍ବାମୀ ଓ ପରିବାରକୁ ହରାଇ ସର୍ବସ୍ବାନ୍ତ ହୋଇଥିଲା। ଅନେକଙ୍କ ମୁଣ୍ଡ ଉପରୁ ଉଠିଯାଇଥିଲା ଛାତ। ନଷ୍ଟ ହୋଇଥିଲା ହଜାର ହଜାର ହେକ୍ଟର ଚାଷଜମି। ଓଡ଼ିଶାର ଉପକୂଳ ଅଞ୍ଚଳରେ ସୃଷ୍ଟି ହୋଇଥିଲା ଅକଳ୍ପନୀୟ ବିପର୍ଯ୍ୟୟ ।

ମହାବାତ୍ୟାକୁ  ପୂରିଛି ୨୭ ବର୍ଷ।  ପ୍ରଳୟଙ୍କରୀ ମହାବାତ୍ୟାର ଲୋମ ଟାଙ୍କୁରା ଦୃଶ୍ୟ ବଖାଣିଛନ୍ତି ପାରାଦୀପର ସମୁଦ୍ର କୂଳରେ ରହୁଥିବା ବସ୍ତିବାସିନ୍ଦା। ଅନେକ ଲୋକ ସମୁଦ୍ର ଢେ଼ଉରେ ଭାସିଯାଇଥିଲେ। ଅନେକଙ୍କ  ଘର ସମୁଦ୍ର ଗର୍ଭରେ  ଲିନ ହୋଇଯାଇଥିଲା। କେହି କେହି ଉଚା ଢିପରେ ରହି ତ ଆଉ କିଏ ଗଛକୁ ଧରି ନିଜ ଜୀବନ ବଞ୍ଚାଇଥିଲେ।  ନିଜ ଆଖି ଆଗରେ ପରିବାର ସମେତ ଗୃହପାଳିତ ପଶୁ ଭାସି ଯାଇଥିଲେ । ସେ ଦିନର ଅନୁଭୂତି ଏବେ ବି ତାଜା ରହିଛି ସେମାନଙ୍କ ମନରେ । ତେବେ ସେଦିନ ସେହି ମହାବାତ୍ୟାରେ ଘରର ଚାଳ ଉପରେ ଭାସି ଭାସି ଦୁଇଦିନ ଧରି ଭୋକ ଉପାସରେ ରହିଥିବା ଅନୁଭୁତି ଏବେ ବି ଆନ୍ଦୋଳିତ କରେ ସେମାନଙ୍କୁ।

ସମୟ ବଦଳିଛି, ବଦଳିଛି ବିପର୍ଯ୍ୟୟ ମୁକାବିଲାର ଚିତ୍ର। ବାତ୍ୟା ଆସିଛି ଆଉ ଯାଇଛି। ହେଲେ ୧୯୯୯ ମହାବାତ୍ୟାକୁ ଜିଇଁଥିବା ଲୋକଙ୍କ  ମନରେ ଆଜି ବି ତାଜା ରହିଛି ସେହି ଛାତିଥରା ସ୍ମୃତି ।

Latest Posts

Don't Miss